ବିଜେପି ତରଫରୁ ଫୁଲବାଣୀ ବ୍ଲକ ଘେରାଉ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ବ୍ଲକ ବିଜେପି ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ଭ୍ରଷ୍ଟାଚାର ଏବଂ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ରହିଥିବା ସମସ୍ୟାକୁ ନେଇ ଶତାଧିକ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତା ଏକ ବିରାଟ ରାଲିରେ ସର୍କିଟ ହାଉସରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ଲକ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସମସ୍ତେ ବର୍ଷି ଥିବାବେଳେ ଆବାସ ଯୋଜନାରେ କିଭଳି ପ୍ରିୟାପ୍ରିତୀ କରି କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ବାଟବଣା କରାଯାଇଛି ତା’ର ଉଦାହରଣ ଦେଇଥିଲେ । ଫୁଲବାଣୀ ବ୍ଲକରେ ରାସ୍ତାଘାଟ, ରାସନ କାର୍ଡରେ ନାମ ସଂଯୋଗ, ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ଅବହେଳା ଭଳି ଅନେକ ଅଭିଯୋଗକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର ସାହୁଙ୍କୁ ପ୍ରଦାନ କରିଥିବାବେଳେ ବିଡିଓ ସମସ୍ତ ଅଭିଯୋଗକୁ ତଦନ୍ତ କରି କାର୍ଯ୍ୟ କରାଯିବ ବୋଲି କହିଥିଲେ । ଫୁଲବାଣୀ ମଣ୍ଡଳ ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ହୋଇଥିବା ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ରମେଶ ମହାନ୍ତି, ସଞ୍ଜିତ ମଣ୍ଡଳ , ଶିଶିର ଘୋଷ , ପରେଶ ମହାପାତ୍ର, ଜଗନ୍ନାଥ ସାହୁ , ଶିବାଶିଷ ପଣ୍ଡା, ସୁଧାଂଶୁ ଗୁରୁ , ରଘୁପତି କହଁର, ବିବେକାନନ୍ଦ କହଁର, ସଲାଗୁଡ଼ା ସରପଞ୍ଚ ରୋହିତ କହଁର, ସଞ୍ଜିବ କହଁରଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।