ବାଙ୍ଗାଲୁରୁର ୧୫ ସ୍କୁଲକୁ ମିଳିଲା ବୋମା ପକାଇ ଉଡ଼ାଇଦେବାର ଧମକ

ବାଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ୧୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ଇମେଲ ଜରିଆରେ ମିଳିଛି । ସେଥିପାଇଁ ସ୍କୁଲରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିଲେ ଯାଞ୍ଚ କରିବାକୁ ପୁଲିସକୁ ସୂଚନା ଦିଆଯାଇଛି । ଏହାସହ ବୋମା ନିରୋଧକ ଦସ୍ତାକୁ ମଧ୍ୟ ସବୁ ସ୍କୁଲକୁ ପଠାଇ ଦିଆଯାଇଛି । ଧମକ ମିଳିଥିବା ସ୍କୁଲ ମଧ୍ୟରେ ହ୍ୱାଇଟଫିଲ୍ଡ, କୋରେମଙ୍ଗଲା, ବସବେଶନଗର, ୟାଲହଙ୍କା ଓ ସଦାଶିବନଗର ସାମିଲ ରହିଛି । ମାମଲାକୁ ଗମ୍ଭୀରତା ସହକାରେ ନେଇ ପୁଲିସ ସର୍ଚ୍ଚ ଅପରେସନ ଜାରୀ ରଖିଛି ।

ଉକ୍ତ ସ୍କୁଲ ମଧ୍ୟରୁ ଗୋଟିଏ ସ୍କୁଲ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଆବାସ ନିକଟରେ ଅବସ୍ଥିତ । ଡିକେ ଶିବକୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଟିଭି ଦେଖୁଥିବା ସମୟରେ ମୋ ଘର ପାଖ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଥିବା ଜାଣିବାକୁ ପାଇଲି । ମୁଁ ଏଠାକୁ ଯାଞ୍ଚ କରିବାକୁ ଆସିଥିଲି ।