ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିକ୍ଷୋଭ

ଫୁଲବାଣୀ,ଏନ୍ଏନ୍ଏସ୍: ଭାରତ, ଚୀନ୍ ସୀମାନ୍ତ ଲଦାଖର ଗଲୱାନ ଠାରେ ଗତ ୧୫ ତାରିଖରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍ ହୋଇଥିବାବେଳେ ସେଥିମଧ୍ୟରେ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ଓଡିଶାର ଦୁଇଜଣ ସାମିଲ ଅଛନ୍ତି। ସମସ୍ତ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଆଜି ଫୁଲବାଣୀ ଓକିଲ ସଂଘ ପକ୍ଷରୁ କୋର୍ଟ ଛକରେ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକସଭା କରାଯିବା ସହ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସହିଦ୍ ଚନ୍ଦ୍ରକାନ୍ତ ଓ ସହିଦ୍ ରାମ ସୋରନ୍ ଅମର ରହେ ସହ ଚୀନର ଦାଦାଗିରିକୁ ବରଦାସ୍ତ କରାଯିବନି ବୋଲି ନାରା ଦିଆଯାଇଥିଲା। ଏଥିସହ ଚାଇନା ଜିନିଷ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଥିଲା। ସେହିପରି ଗ୍ରାମାଞ୍ଚଳ ସୁରକ୍ଷା ସମିତି ପକ୍ଷରୁ ମଧ୍ୟ ଆଜି ସହିଦଙ୍କ ସ୍ମୃତିରେ କ୍ୟାଣ୍ଡଲ୍ ଶୋଭାଯାତ୍ରା କରାଯାଇଥିଲା। ଏହାର ସଦସ୍ୟମାନେ ମାଦିକୁନ୍ଦାଛକ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ କ୍ୟାଣ୍ଡଲ ଧରି ନୀରବ ଶୋଭାଯାତ୍ରା କରିଥିଲେ। ସେହିଭଳି ୟୁଥ୍ ଫର୍ ଚେଞ୍ଜ ଓ ୟୁଥ୍ ଅଫ୍ କନ୍ଧମାଳ ପକ୍ଷରୁ ମଧ୍ୟ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ସାମୂହିକ ପ୍ରାର୍ଥନା କରାଯାଇଥିଲା।