ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ସହରରେ ଥିବା ଫମ୍ସନ କମିଟି ଆନୁକୂଲ୍ୟରେ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୨ ବର୍ଷ ଧରି ହେଉଥିବା ପୂଜାରେ ପ୍ରତି ବର୍ଷ ମୂର୍ତ୍ତି ମୁଖ୍ୟ ଆକର୍ଷଣ ସାଜିଥିବାବେଳେ ଚଳିତ ବର୍ଷ ମଧ୍ୟ ଏକ ବିରାଟ ମୂର୍ତ୍ତି ମଣ୍ଡପରେ ପୂଜା ପାଉଛି । ମୂର୍ତ୍ତିଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଆସିଥିବା ନେଇ ପୂଜା କମିଟି ତରଫରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ପୂଜାରେ ଫିରିଙ୍ଗିଆର ବଣିକ ସଂଘ ସଭାପତି ରାଜକିଶୋର ସାହୁ ପୂଜା କର୍ତ୍ତାଭାବେ ଯୋଗ ଦେଇଥିବାବେଳେ ଅଶୋକ କୁମାର ଷଡ଼ଙ୍ଗୀ ପୂଜା କାର୍ଯ୍ୟ ସମାପନ କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ଗଜାନନଙ୍କ ଆଳତି ଅନୁଷ୍ଠିତ ହେଉଥିବାବେଳେ ଏହି ଆଳତି ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହେଉଛି । ତେବେ ଆସନ୍ତା ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ କଳାହାଣ୍ଡି ଜିଲ୍ଲାରୁ ଆସୁଥିବା ମେଲୋଡି କାର୍ଯ୍ୟକ୍ରମ ଭସାଣିର ମୁଖ୍ୟ ଆକର୍ଷଣ ହେବ ବୋଲି କମିଟି ତଫରୁ କୁହାଯାଇଛି । ଅନ୍ୟପଟେ ଏହି ପୂଜା ଉତ୍ସବରେ କମିଟିର ସମ୍ପାଦକ ସୁଜିତ କୁମାର ମହାରଣାଙ୍କ ସହ କୋଷାଧ୍ୟକ୍ଷ ତନ୍ମୟ ଗୌଡ଼, ସହସମ୍ପାଦକ ପ୍ରକାଶ ବେହେରା, ସାଗର ସାହୁ, ରଞ୍ଜିତ ମହାରଣା, ଅଶୋକ ପାତ୍ର, ରୁଦ୍ର ନାରାୟଣ ନାୟକ, ବବୁଲୁ ବେହେରା, ତପନ କୁମାର ମିଶ୍ର ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରୁଛନ୍ତି । ଅନୁରୂପ ଭାବରେ ଗତକାଲି ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ୱେଛାସେବୀ ଅନୁଷ୍ଠାନ ସହ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବାବେଳେ ସନ୍ଧ୍ୟା ସମୟରେ ମେଲୋଡି କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।