ନିୟମ ଉଲ୍ଲଂଘନ ଯୋଗୁଁ ପେଟ୍ରୋଲ ପମ୍ପ ସିଲ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଯୋଗାଣ ବିଭଗ ଦ୍ୱାରା ଆଜି ଜିଲ୍ଲା ସଦର ମହକୁମାର ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ ଯୋଗୁଁ ଏକ ପେଟ୍ରୋଲ ପମ୍ପକୁ ସିଲ କରି ଦିଆଯାଇଛି। ଦେଶ ତଥା ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଅକାଳରେ ଲୋକଙ୍କ ଜୀବନ ଯାଉଥିବାରୁ ସରକାରଙ୍କ ଦ୍ୱାରା ବିଭିନ୍ନ ନିୟମ କରାଯାଇଛି। ଏହି ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ୨ ଚକିଆ ଯାନକୁ ବିନା ହେଲମେଟରେ ପେଟ୍ରୋଲ ଦେବାକୁ ବାରଣ କରାଯାଇଥିବା ବେଳେ ଏନେଇ ଏକ ଦଳ ଆଜି ଯାଞ୍ଚ କରିଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ୱରେ ଏସିଏସଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଯାଞ୍ଚ କରି ବିନା ହେଲମେଟରେ ଚାଳକଙ୍କୁ ପେଟ୍ରୋଲ ଦେଉଥିବା ଦେଖିବାକୁ ପାଇଥିଲେ। ତେଣୁ ଗନ୍ଧିପାଲ୍ଲୀସ୍ଥିତ ସାନ ଫିଲିଙ୍ଗ ଷ୍ଟେସନରେ ବିନା ହେଲମେଟରେ ପେଟ୍ରୋଲ ଦେଉଥିବା ଦେଖିବାକୁ ପାଇବା ପରେ ସଂପୃକ୍ତ ପମ୍ପକୁ ସିଲ୍ କରାଯାଇଛି। ତେବେ ବିଭାଗ ପକ୍ଷରୁ ନିତିଦିନିଆ ଯାଞ୍ଚ କରାଯିବ ଓ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ କହିଛନ୍ତି।