ଆଲୋକ ଯନ୍ତା ମାଧ୍ୟମରେ ଅପକାରୀ କୀଟ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗାର ଗୌଡଗୋପ ସ୍ଥିତ ବାସୁଳେଇ ପୀଠରେ ଆଲୋକ ଯନ୍ତା ମାଧ୍ୟମରେ ଅପକାରୀ କୀଟ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାହାଙ୍ଗା କୃଷକ ବିକାଶ ମଞ୍ଚର ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲୋକ ଯନ୍ତାର ଉଦ୍ଭାବକ ତଥା ବୈଜ୍ଞାନିକ ଡ. ଶ୍ୟାମରଞ୍ଜନ ଦାସମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ତାଙ୍କ ସହିତ କୀଟ ବୈଜ୍ଞାନିକ ଡ. ଗୋଳିଭି ପ୍ରଶାନ୍ତି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇଥିଲେ।

ସେମାନେ ଉପସ୍ଥିତ ଚାଷୀଭାଇମାନଙ୍କୁ ଆଲୋକ ଯନ୍ତାର କ୍ଷେତ୍ରୀୟ ପ୍ରଦର୍ଶନ କରିଦେଖାଇଥିଲେ। ଆଲୋକ ଯନ୍ତାର ଉପକାରିତ ସମ୍ପର୍କରେ ବିସ୍ତୃତ ଆଲୋଚନା ଡ. ଶ୍ୟାମରଞ୍ଜନ ଦାସମହାପାତ୍ର କରିବା ସହିତ ଏହି ଯନ୍ତା ପ୍ରୟୋଗ ଦ୍ୱାରା ଚାଷୀଭାଇମାନେ ପରିବେଶକୁ ତିନି ପ୍ରକାର ପ୍ରଦୂଷଣରୁ ରକ୍ଷା କରିପାରିବେ। କୀଟନାଶକ ଔଷଧ ପ୍ରୟୋଗ ଦ୍ୱାରା ପ୍ରଥମେ ମାଟି ନଷ୍ଟ ହୋଇଥାଏ। ପରେ କୀଟନାଶକ ଔଷଧ ପ୍ରଭାବରେ ଜଳ ଓ ବାୟୁମଣ୍ଡଳ ଦୂଷିତ ହୋଇଥାଏ। ଫଳରେ ସାଧାରଣ ଲୋକ ବିଭିନ୍ନ ରୋଗରେ ଆକ୍ରନ୍ତ ହେବାର ଆଶଙ୍କା ଥାଏ। ଆଲୋକ ଯନ୍ତା ବ୍ୟବହାର ଦ୍ୱାରା ମାଟିର କୌଣସି କ୍ଷତି ହୋଇନଥାଏ ବୋଲି ବୈଜ୍ଞାନିକ ଡ. ଷଡ଼ଙ୍ଗୀ ମତଦେବା ସହ ଏହି ଆଲୋକ ଯନ୍ତା ସୂର୍ଯ୍ୟକିରଣରୁ ଶକ୍ତି ସଂଗ୍ରହ କରି ଦିନରାତି କାର୍ଯ୍ୟ କରିଥାଏ। ଅପକାରୀ କୀଟକୁ ଯନ୍ତ୍ରା ଧରିବାରେ ସକ୍ଷମ ହୋଇଥାଏ। ଯନ୍ତାର ଉପକାରୀ ସେଲରେ ପଡିଥିବା କୀଟଗୁଡିକୁ ପରବର୍ତ୍ତୀ ସମୟରେ ଛାଡି ଦେବାର ବ୍ୟବସ୍ଥା ରହିଛି। ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ବୈଜ୍ଞାନିକମାନେ ସଠିକ୍ ଉତ୍ତର ପ୍ରଦାନ କରିଥିଲେ।

କୃଷି ବୈଜ୍ଞାନିକ ଡ. ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ଚାଷୀମାନଙ୍କୁ ବାଡି ବଗିଚାରେ ବିଭିନ୍ନ ଚାଷ କରିବା ସଂପର୍କରେ ସୂଚନା ଦେବା ସହ ଗୋପାଳନ, ମାଛଚାଷ, ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ। ଯେଉଁମାନେ ଏହି ଯୋଜନାର ସୁଯୋଗ ନେବାକୁ ଚାହୁଁଛନ୍ତି ସେମାନେ କେ.ବି.କେ. ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବହୁ ଚାଷୀ ଅଂଶଗ୍ରହଣ କରିଥିଲେ। ଶେଷରେ ଗଗନ ବିହାରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।