ଯୌତୁକ ଦାବିରେ ନିର୍ଯାତନା, ସ୍ୱାମୀ, ଶାଶୂ ଓ ଶ୍ୱଶୁର ନାମରେ ମାମଲା

ବାରିପଦା, ଏନ୍ଏନ୍ଏସ୍: ଅଧିକ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ଅଭିଯୋଗରେ ବାରିପଦା ଟାଉନ ଥାନାରେ ସ୍ୱାମୀ , ଶ୍ୱଶୁର ଓ ଶାଶୂଙ୍କ ନାମରେ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇ-୫୮ ସିପି କଲୋନୀ ଅଞ୍ଚଳର ଗୌରାଙ୍ଗ ଚରଣ ସାହୁଙ୍କ ପୁଅ ଦେବାଶିଷ ସାହୁ ବାଲେଶ୍ୱର ଜିଲ୍ଲା କରଞ୍ଜିଆ ସତ୍ୟନଗର ଅଞ୍ଚଳରୁ ସୁଚାରିତା ସାହୁଙ୍କୁ  ୨୦୧୭ ଡିସେମ୍ବର ୩ରେ ବିବାହ କରିଥିଲେ। ବରପକ୍ଷରୁ ଯୌତୁକ ବାବଦରେ କୌଣସି ଦାବି କରାଯାଇ ନ ଥିବାରୁ କନ୍ୟା ପକ୍ଷରୁ ବେଦି ଉପରେ ନଗଦ ୭୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା ।

ମାତ୍ର ବାହାଘରର ପରବର୍ତୀ ସମୟଠାରୁ ଅଧିକ ଯୌତୁକ ଦାବିରେ ସୁଚାରିତାଙ୍କୁ ସ୍ୱାମୀ ଦେବାଶିଷ, ଶ୍ୱଶୁର ଗୌରାଙ୍ଗ ଓ ଶାଶୂ ମମତା ସାହୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ଓ ଚାରିତ୍ରିକ ଆକ୍ଷେପ କରି ଗାଳିଗୁଲଜ କରି ଆସୁଥିଲେ। । କେବଳ ଏତିକି ନୁହେଁ, ଦେଢ଼ ମାସର ଗର୍ଭବତୀ ରହିଥିବା ସମୟରେ ସ୍ୱାମୀ ପେଟକୁ ଗୋଇଁଠା ମାରି ଗର୍ଭ ନଷ୍ଟ କରାଇ ଦେଇଥିଲେ । ଏହି ସମସ୍ତ ଘଟଣାକୁ ନେଇ ଏସପି ଙ୍କ ଦୃଷ୍ଟି ଆକର୍ଷଣ କରାଇବା ପରେ ପ୍ରାୟ ୪ ଥର ଉଭୟ ପକ୍ଷଙ୍କୁ ବସାଇ ଆପୋଷ ବୁଝାମଣା କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ପରବର୍ତ୍ତୀ ସମୟରେ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଲା । ସହିବାର ସମସ୍ତ ସୀମା ଅତିକ୍ରମ କରିବା ପରେ ସୁଚାରିତା ବାଧ୍ୟ ହୋଇ ନ୍ୟାୟ ପାଇବା ନିମନ୍ତେ ଥାନାରେ ଆଶ୍ରୟ ନେଇଥିବାର ଜଣାପଡିଛି ।