ବେକରେ ଛୁରି ଲଗାଇ ଲୁଟ୍ ଉଦ୍ୟମ, କାବୁକଲେ ଅଞ୍ଚଳବାସୀ

ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦରମହକୁମାସ୍ଥିତ ବ୍ଲକ କଲୋନୀରେ ମଙ୍ଗଳବାର ରାତିରେ ଜଣେ ଅଜଣା ଦୁର୍ବୃତ୍ତ ସାହି ମଧ୍ୟକୁ ପସି ଆସି ଜଣେ ଛୋଟ ଛୁଆ ବେକରେ ଛୁରି ଲଗାଇ ସୁନା , ରୁପା ମାଗିଥିଲା। ପରିବାର ଲୋକେ ଦୁର୍ବୃତ୍ତର ଦାବି ଅନୁସାରେ କୌଣସି ଜିନିଷ ଦେଇନଥିଲେ। ଫଳରେ ଦୁର୍ବୃତ୍ତ ଜଣକ ଛୁଆଟିକୁ ଛୁରି ଭୁଷିଦେବାକୁ ଧମକ ହେବାସହ ମହିଳାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲା। ମହିଳାଙ୍କ ପାଟିଶୁଣି ପାଖ ପଡ଼ିଶା ଲୋକେ ସେଠାରେ ପହଞ୍ଚି କୌଶଳରେ ଦୁର୍ବୃତ୍ତକୁ କାବୁ କରିଥିଲେ। ଉକ୍ତ କଲୋନୀରେ ରହୁଥିବା ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ତୁରନ୍ତ ଘଟଣା ସମ୍ପର୍କରେ ବାଲିଗୁଡ଼ା ଥାନାକୁ ଖବର ଦେବାପରେ ପୁଲିସ୍ ଦୁର୍ବୃତ୍ତକୁ କାବୁକରି ପଚରାଉଚରା କରିଥିଲା। ତେବେ ଆକ୍ରମଣରେ ଆହତ ହୋଇଥିବା ମହିଳା ଓ ଛୁଆକୁ ବାଲିଗୁଡ଼ା ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି।