କଟକରେ ୨୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ

କଟକ,ଏନ୍ଏନ୍ଏସ୍ : ଘରୁ ରାଗି ଚାଲି ଆସିଥିବା ଜଣେ ୧୫ ବର୍ଷିୟା ନାବାଳିକାକୁ ଦୀର୍ଘ ୨୨ ଦିନ ଧରି ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ତାକୁ ବୁଝାଇ ସୁଝାଇ ଘରେ ଛାଡି ଦେବା ଆଳରେ ଏକ କୁକୁଡ଼ା ଫାର୍ମରେ ରଖି ୨ଯୁବକ ଦୁଷ୍କର୍ମ କରିଥିଲେ। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତ ପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୁଲିସ ଖବର ପାଇ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଭିଯୋଗ କ୍ରମେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରଙ୍କେଇ ଗ୍ରାମରେ ସମ୍ପୃକ୍ତ ନାବାଳିକା ସପରିବାରେ ରୁହନ୍ତି। ପରିବାରିକ କଳହକୁ କେନ୍ଦ୍ର କରି ଗତ ଏକ ମାସ ପୂର୍ବେ ନାବାଳିକା ଜଣକ ପ୍ରଫେସରପଡାରେ ରହୁଥିବା ବଡ ଭଉଣୀଙ୍କ ଘରକୁ ଚାଲିଆସିଥିଲା। ଏଠାରେ ରହିବା ସମୟରେ କୌଣସି କାରଣରୁ ବଡ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବଡ ଭଉଣୀ ଘରକୁ ଫେରିଯିବାକୁ ପୀଡିତା ନାବାଳିକାଙ୍କୁ କହିଥିଲେ। ତାପରେ ଅର୍ଥାତ ୨୨ ଦିନ ପୂର୍ବେ ନାବାଳିକା ଜଣକ ଗାଁକୁ ଯିବା ପାଇଁ ଓଏମପି ଛକରେ ବସକୁ ଅପେକ୍ଷା କରିଥିଲା। ତେବେ ବସ ନପାଇବାରୁ ସନ୍ଧ୍ୟା ହୋଇ ଯାଇଥିଲା। ଘରକୁ ଯିବାପାଇଁ ସେ ବ୍ୟସ୍ତ ହେଉଥିବାବେଳେ ଟିକି ଓରଫ ସନ୍ତୋଷ କୁମାର ବେହେରା ନାମକ ଜଣେ ଯୁବକ ସେଠାକୁ ଆସି ଗାଁକୁ ନେଇ ଯିବ ବୋଲି କହି ଜଗତସିଂହପୁର ଅଭିମୁଖେ ବାହାରିଥିଲା। ମାତ୍ର ଜଗତସିଂହପୁରକୁ ନଯାଇ ନାବାଳିକାଙ୍କୁ ବଳପୂର୍ବକ ଗତିରାଉତପାଟଣାର ଏକ କୁକୁଡ଼ା ଫାର୍ମକୁ ନେଇଯାଇଥିଲା। ଉକ୍ତ ଫାର୍ମଟି ଟିକିର ସାଙ୍ଗ ରାକାର ବୋଲି ଜଣାପଡିଛି।

ତେବେ ଦୁଇ ଜଣ ସାଙ୍ଗ ମିଶି ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହିତ ଭିଡିଓ ରେକର୍ଡିଂ କରିଥିଲେ। ଏହି ବିଷୟରେ କାହାକୁ କହିଲେ ସେମାନେ ରେକର୍ଡିଂ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ। ତେବେ ଗତକାଲି ନାବାଳିକା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଗତିରାଉତପାଟଣା ହନୁମାନ ମନ୍ଦିର ନିକଟରେ ବସିଥିଲା । ସ୍ଥାନୀୟ ଲୋକେ ଚାଉଳିଆଗଞ୍ଜ ଥାନାକୁ ଖବର ଦେବାପରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା।