ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତିି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜନସାଧାରଣ ଟିକାକରଣ ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କରି ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ଟିକାକରଣ ଚାଲିଥିବାବେଳେ ଜନସାଧାରଣ ସକାଳୁ ଲମ୍ବା ଧାଡ଼ିରେ ରାସ୍ତା ଉପରେ ଖରାରେ ଛିଡ଼ା ହୋଇ ସାମାଜିକ ଦୂରତାକୁ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା। ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଦେବଗଡ଼ ଥାନା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ନିୟୋଜିତ କରାଯାଇ ଜନଗହଳିରେ ସାମାଜିକ ଦୂରତା ରକ୍ଷା ପାଇଁ ବ୍ୟାପକ ପ୍ରୟାସ କରାଯାଉଥିଲା। ଟିକାକରଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଗୁଆ ଟିକା ଗ୍ରହଣ ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତାକୁ ଲକ୍ଷ୍ୟ କରି ସେମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଟିକାକରଣ ସ୍ଥଳକୁ ଆସି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ଉପସ୍ଥିତ ଶତାଧିକ ଜନସାଧାରଣଙ୍କୁ ଆଶ୍ୱସ୍ତ ରହିବାକୁ ପରାମର୍ଶ ଦେଇଥିଲେ। ତେବେ ଖରାରେ ଲମ୍ବା ଧାଡ଼ିରେ ଥିବା ସମସ୍ତ ଜନସାଧାରଣଙ୍କୁ କିଛି ଘଣ୍ଟା ମଧ୍ୟରେ ଟିକା ପ୍ରଦାନ କରାଯାଇ ରାସ୍ତାରୁ ଜନଗହଳିକୁ ଖାଲି କରାଯାଇଥିବା ଦେଖିବାକୁ ମିଳିଛି।