ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ସମୟରେ କିରାନା ଦୋକାନରେ ଖାଉଟି ସାମଗ୍ରୀ ଆଳରେ ବେଆଇନ ଭାବରେ ମଦ ବିକ୍ରି କରୁଥିବା ଜଣେ ଦୋକାନୀଙ୍କୁ ଆଜି ରେଙ୍ଗାଲି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଦମଡ଼ିହି ଗ୍ରାମର ବାଲି ସାହୁ ବୋଲି ରେଙ୍ଗାଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଲଡଡାଉନ ଯୋଗୁ ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଭାବରେ ମଦ ବିକ୍ରି ଏବଂ ବେଆଇନ ଚାଲାଣ ବୃଦ୍ଧି ପାଇଛି। ଏଥିରେ ରୋକ ଲଗାଇବା ପାଇଁ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବାବେଳେ କଦମଡ଼ିହି ଛକରେ ଥିବା ନିଜ ଦୋକାନରେ ବାଲି ସାହୁ ମଦ ବିକ୍ରି କରୁଥିବା ରେଙ୍ଗାଲି ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ପରେ ରେଙ୍ଗାଲି ପୁଲିସର ଏକ ଦଳ ଆତର୍କିତ ଭାବରେ ବାଲି ସାହୁର ଦୋକାନରେ ଚଢ଼ଉ କରି ଫ୍ରିଜ ଭିତରୁ ତଥା ଗୋଡାଉନରୁ ବ୍ୟାପକ ପରିମାଣର ବିଦେଶୀ ମଦ ଜବତ କରିଛି। ଏହାସହ ଏକ୍ସାଇ ଏକ୍ଟରେ ୫୨(ଏ)ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।