ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଗତ ୨ଦିନ ତଳେ କଟକ ବାର ଆସୋସିଏସନର କିଛି କାର୍ଯ୍ୟକର୍ତ୍ତା ବିରୋଧ କରି ମନ୍ତ୍ୟବ ଦେଇଥିଲେ । ଏହାକୁ ନେଇ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହାଇକୋର୍ଟର ୨ଟି ବେଞ୍ଚ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଏହାକୁ କଟକ ବାର ଆସୋସିଏସନର କର୍ମକର୍ତ୍ତାମାନେ ବିରୋଧ କରିବା ପରେ ତାଙ୍କର ମନ୍ତ୍ୟବକୁ ନେଇ ପାଟଣାଗଡ଼ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ପାଟଣାଗଡ଼ କ୍ରିମିନାଲ ବାର ଆସୋସିଏସନ ତରଫରୁ ସଂଘର ସଭାପତି ବିପିନ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ବୈଠକରେ କଟକ ବାର ଆସୋସିଏସନର ପ୍ରସ୍ତାବକୁ କଡ଼ା ବିରୋଧ କରାଯାଇଥିଲା । ସେମାନଙ୍କର ଆଚରଣ ଆଞ୍ଚଳିକ ବୈଷମ୍ୟ ବଢ଼ାଇବ ବୋଲି ବୈଠକରେ ଓକିଲମାନେ ମତପ୍ରକାଶ କରିଥିଲେ । ଏଥିରୁ ସେମାନେ କ୍ଷାନ୍ତ ହୁଅନ୍ତୁ ନଚେତ ଭୟାନକ ଆନ୍ଦୋଳନ କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା । ହାଇକୋର୍ଟ ବେଞ୍ଚ ସ୍ଥାପନକୁ କେନ୍ଦ୍ର ଆଇନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବାର କାଉନସିଲ ସଭ୍ୟ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଦେଇଥିଲେ । କଟକ ବାର ଆସୋସିଏସନ ଦେଇଥିବା ମନ୍ତ୍ୟବରୁ ନ ହଟିଲେ ଆଗାମୀ ଦିନରେ ଭୟାନକ ଆନ୍ଦୋଳନ କରାଯିବ ବୋଲି କ୍ରିମିନାଲ ବାର ସଭାପତି କହିଛନ୍ତି । ଏହି ବୈଠକରେ ବରିଷ୍ଠ ଓକିଲ ଉପେନ୍ଦ୍ର ମିଶ୍ର, ଦର୍ପଗଞ୍ଜନ ପଟ୍ଟନାୟକ, ସିଦ୍ଧାର୍ଥ ମିଶ୍ର, ଚିନ୍ତା ରାଉତ, ରାଜେଶ ପୁରୋହିତ, ହରିବନ୍ଧୁ ମେହେର ଓ ବାସୁଦେବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।