ସଦଗୁରୁଙ୍କ ‘ମାଟି ବଞ୍ଚାଓ’ ଅଭିଯାନକୁ ୭୨ ଦେଶର ସମର୍ଥନ

ନୂଆଦିଲ୍ଲୀ: ଇଶା ଫାଉଣ୍ଡେସନର ସଂସ୍ଥାପକ ସଦଗୁରୁ ‘ମାଟି ବଞ୍ଚାଓ’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ସେ ନିଜେ ବାଇକ ଯୋଗେ ୧୦୦ ଦିନରେ ୨୭ ଦେଶ ଯାତ୍ରା କରିବା ଲାଗି ବାହାରିଛନ୍ତି । ସଦଗୁରୁ ବାଇକରେ ପାଖାପାଖି ୩୦ ହଜାର କିମି ଯାତ୍ରା କରିବେ । ସଦଗୁରୁ ତାଙ୍କର ଏହି ଯାତ୍ରା ମାର୍ଚ୍ଚରେ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଧା ଯାତ୍ରା ପୁରା କରିସାରିଲେଣି ।

ସଦଗୁରୁ ଏହି ଯାତ୍ରା ସମୟରେ ବିଭିନ୍ନ ଦେଶର ରାଜନେତା, ବିଶେଷଜ୍ଞ, ନାଗରିକ, ମିଡିଆ କର୍ମୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ଏହି ଗମ୍ଭୀର ବିଷୟ ଉପରେ ସକାରାତ୍ମକ ନୀତି ପ୍ରସ୍ତୁତ କରିବାକୁ ନିବେଦନ କରୁଛନ୍ତି ।
ସଦଗୁରୁ କହିଛନ୍ତି ଯେ, ସମଗ୍ର ବିଶ୍ୱରୁ ‘ମାଟି ବଞ୍ଚାଓ’ ଅଭିଯାନକୁ ସକାରାତ୍ମକ ସହଯୋଗ ମିଳୁଛି । ଏହି ଅଭିଯାନ ବର୍ତ୍ତମାନ ସୁଦ୍ଧା ୨ ମିଲିୟନ ଲୋକଙ୍କ ପାଖରେ ପହଞ୍ଚି ସାରିଲାଣି । ଫଳରେ ୭୨ ଦେଶ ମାଟି ବଞ୍ଚାଇବାକୁ ନେଇ ଆଇନ ପ୍ରସ୍ତୁତ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ସଦଗୁରୁ ଚଳିତ ମାସ ଶେଷରେ ଗୁଜରାଟର ଜାମନଗର ପହଂଚିବେ । ପରେ ସେ ୨୫ ଦିନରେ ୯ଟି ରାଜ୍ୟ ଭ୍ରମଣ କରିବେ । ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଭ୍ରମଣ କରି ନେତା, ପ୍ରତିଷ୍ଠିତ ବ୍ୟକ୍ତି ଓ ମିଡିଆ କର୍ମୀଙ୍କୁ ଏହି ଦିଶାରେ ଯାଥାଶୀଘ୍ର ଉଚିତ ପଦକ୍ଷେପ ନେବାକୁ ନିବେଦନ କରିବେ ।