ପାଟଣାଗଡ଼ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ନଥିବାରୁ ପ୍ରଶାସନିକ କାର୍ଯ୍ୟାଳୟରେ ତାଲା

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ୩ଟି ବ୍ଲକ ଖପ୍ରାଖୋଲ, ବେଲପଡ଼ା ଓ ପାଟଣାଗଡ଼ ଅଞ୍ଚଳର ଜନସାଧାରଣ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ନିର୍ଭର କରୁଥିବାବେଳେ ଏଠାରେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ନଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଖଣ୍ଡସ୍ତରୀୟ ଡାକ୍ତରଖାନା ୧୦୦ ବେଡ ବିଶିଷ୍ଟ ହୋଇଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁ ରୋଗୀମାନେ ସେବାରୁ ବଞ୍ଚିତ ହେଉଛନ୍ତି। ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୩ଜଣ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ନିୟମିତ ଆସୁନାହାନ୍ତି। କେବଳ ନିୟମିତ ଗୋଟିଏ ଡାକ୍ତର ସ୍ମିତା ଶତପଥୀ ଥିବାବେଳେ ଅନ୍ୟ ୨ଜଣ ଡାକ୍ତର ଦିଲ୍ଲୀପ ସାହୁ ଡେପୁଟେସନରେ କଣ୍ଟାବାଞ୍ଜିରେ ୩ଦିନ ରହୁଥିବାବେଳେ ପାଟଣାଗଡ଼ରେ ୪ଦିନ ଓ ଅନ୍ୟଜଣେ ଡାକ୍ତର ପିଏନ ମହାନ୍ତିଙ୍କୁ ନିଯୁକ୍ତି ହୋଇଥିଲେ ସୁଦ୍ଧା ସେ ବଲାଙ୍ଗିରରେ ରହୁଛନ୍ତି ପାଟଣାଗଡ଼ ଆସୁନାହାନ୍ତି। ତେଣୁ ପାଟଣାଗଡ଼ରେ ସ୍ୱାସ୍ଥ୍ୟ ସେବା ଭୁଷୁଡି ଯାଇଥିବା ପ୍ରତିବାଦରେ ପାଟଣାଗଡ଼ ଜନମଞ୍ଚ ତରଫରୁ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ନୀଳମାଧବ ପାଣିଗ୍ରାହୀ, ସୁଧିର ଆଚାର୍ଯ୍ୟ ଓ ସୁଶୀଳ ନାୟକ ପ୍ରମୁଖ ଆଜି ଡାକ୍ତରଖାନା ପରିସରରେ ଥିବା ପ୍ରଶାସନିକ କାର୍ଯ୍ୟାଳୟକୁ ତାଲା ମାରି ବିରୋଧ କରିଥିଲେ।