୧୦ ଦିନ ମଧ୍ୟରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫ୍ରେନ୍ସିଂ ଜରିଆରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଓମିକ୍ରନ୍ ମାମଲା ବଢ଼ୁଛି, ଓଡ଼ିଶାରେ ବି ବଢ଼ିବା ଆରମ୍ଭ ହୋଇଛି। ସେଥିପାଇଁ ୧୦ ଦିନ ମଧ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ପ୍ରସ୍ତୁତ ରଖ। ଦ୍ୱିତୀୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍ ଓ ଆଇସିୟୁ ଥିଲା ଅତି କମରେ ସେତିକି ପ୍ରସ୍ତୁତ କର। ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣକୁ ପ୍ରାଥମିକତା ଦିଆଯାଉ। ଜୀବିକା ଉପରେ ପ୍ରଭାବ ନ ପକାଇ ଉଚିତ ମାତ୍ରାରେ କଟକଣା ପାଇଁ ଗୁରୁତ୍ୱ ଦିଆଯିବା ଉଚିତ। କୋଭିଡର ଉତ୍ତମ ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ସତର୍କ ରହିବା ସହ ସବୁ ନିୟମ କଡ଼ାକଡ଼ି ଭାବେ ପାଳନ କରନ୍ତୁ।