ଭିନ୍ନ ଗ୍ରୁପର ରକ୍ତ ଦେବାରୁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପର ରକ୍ତ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଝାରସୁଗୁଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ପଚାରିବାରୁ ସିଡଏମଓ ଝାରସୁଗୁଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରାଯିବ ଏବଂ କମିଟିର ରିପୋର୍ଟ ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି।

ମୃତକଙ୍କ ଭାଇ ତୁଳାରାମ ନାୟକଙ୍କ ଅଭିଯୋଗ ମୁତାବକ, ଝାରସୁଗୁଡ଼ା ସହରାଞ୍ଚଳ ଦେବାଡ଼ିହି ଗ୍ରାମର ରୋହିତ ପାଣ୍ଡେଙ୍କ ପତ୍ନୀ ରମଣୀ ପାଣ୍ଡେ(୬୨)ଙ୍କୁ ରକ୍ତହୀନତାଜନିତ ଦୁର୍ବଳତା କାରଣରୁ ଗତ ୨୦ ତାରିଖରେ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଗତ ୧୮ ତାରିଖରେ ରୋଗୀଙ୍କ ରକ୍ତ ଗ୍ରୁପ ଚିହ୍ନଟ ହୋଇଥିବା ରିପୋର୍ଟ ଡାକ୍ତରଖାନା କର୍ତୃପକ୍ଷଙ୍କୁ ପରିବାର ଲୋକେ ପ୍ରଦାନ କରିଥିଲେ। ସେଥିରେ ତାଙ୍କର ରକ୍ତ ଗ୍ରୁପ ବି’ ନେଗେଟିଭ ଉଲ୍ଲେଖ ରହିଥିଲା। ମାତ୍ର ଉକ୍ତ ରିପୋର୍ଟକୁ ଅଣଦେଖା କରି ପୁଣି ଏକ ରକ୍ତ ଗ୍ରୁପ ରିପୋର୍ଟ ପ୍ରସ୍ତୁତ ପୂର୍ବକ ଓ’ ନେଗେଟିଭ ବୋଲି ନର୍ସିଂହୋମ କର୍ତୃପକ୍ଷ ଦର୍ଶାଇଥିଲେ। ରୋଗୀଙ୍କୁ ବି’ ନେଗେଟିଭ ପରିବର୍ତ୍ତେ ଓ’ ନେଗେଟିଭ ରକ୍ତ ଦିଆଯିବାରୁ ସେ ଅକାଳରେ ପ୍ରାଣ ହରାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଡାକ୍ତରଖାନା କର୍ତୃପକ୍ଷ ଏଭଳି ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ରୋଗୀଙ୍କ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।