ବାଇକ୍ ଚୋରକୁ ନିର୍ଧୁମ ଛେଚିଲେ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ବାଇପାସ ନିକଟରୁ ଶୁକ୍ରବାର ଅପରାହ୍ଣରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ ଚୋରିକରି ନେଉଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଜଣେ ଧରାପଡ଼ିଛି। ଆଉ ଜଣେ ଫେରାର ହୋଇଯାଇଥିଲା।  ସ୍ଥାନୀୟଲୋକେ  ଜଣକୁ ଧରି ନିର୍ଧୁମ ଛେଚି ପୁଲିସରେ ଦେଇଛନ୍ତି। ଧରା ପଡିଥିବା ଦୁର୍ବୃତ୍ତ ଜଣକ କରଞ୍ଜିଆ ଥାନା ଭଅଁରା ଗ୍ରାମର ହେମନ୍ତ ଧଳ ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ଅଭିମନ୍ୟୁ ମହାନ୍ତ ପାଟଣା ମୁଖ୍ୟାଳୟ ସ୍ଥିତ ବାଇପାସରେ  ବାଇକ ରଖି ପାୱାର ଟିଲରରେ ବିଲରେ ହଳ କରୁଥିବା ବେଳେ ଦୁଇ ଚୋର ଏକ ସ୍କୁଟି ରେ ଆସି ଅଭିମନ୍ୟୁଙ୍କ ବାଇକକୁ କରଞ୍ଜିଆ ଆଡ଼କୁ ନେଇ ପଳାଉ ଥିବାବେଳେ ଅଭିମନ୍ୟୁଙ୍କ ଭାଈ ସ୍ଥାନୀୟ ଲୋକଙ୍କ ସହ ମିଶି ଚୋରଙ୍କୁ ଖଜୁରିଡିହା ଛକ ନିକଟରେ କାବୁ କରିଥିଲେ।