ସ୍ମାର୍ଟଫୋନ ନାହିଁ, କେମିତି ହେବ ଅନଲାଇନ୍ ପାଠପଢା

ରାମନାଗୁଡ଼ା,ଏନ୍ଏନ୍ଏସ୍: ମହାମାରୀ କରୋନା ପାଇଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବାରୁ ସରକାର ଅନଲାଇନ ପାଠ ପଢ଼ା ଆରମ୍ଭ କରିଛନ୍ତି। ହେଲେ ଏଥିରୁ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ୪ଟି ପଞ୍ଚାୟତରେ  ଏଭଳି ସମସ୍ୟା ଦେଖିବାକୁ ମିଳିଛି। ରାମନାଗୁଡା ବ୍ଲକର ବୁତିଂ ପଞ୍ଚାୟତର ଗରଣ୍ଡା, ପିରବା, ଶ୍ରୀରାମପୁର, ପଡ଼ବାସିଙ୍ଗ, ପିତାମଲାଙ୍ଗି, ହାଡୁଗୁଡା, ପକାଲମିଙ୍ଗି, ହଜାରିଡାଙ୍ଗ ଗୋଗୁପାଡୁ ପଞ୍ଚାୟତର ଝାରଲିଂ, ସିକିଲା, ଗୋଟା, କାଟିକି, ଆଚବା, ପାଲିକିଡାଙ୍ଗ, କେରାଣ୍ଡିଗୁଡା ନିଲାମଗୁଡା ପଞ୍ଚାୟତର ଡୁମ୍ବୁରି, ଗୁଗୁରପାଙ୍ଗ, ଗୋସାଇଁ ଗୁଲୁମୁଣ୍ଡାର ଏଣ୍ଟି ମୁନିଗାଁ, ଗୋଡାଖୁଣ୍ଟି, କିତାଲପାଡୁ, ଝିଲିକାଡାଙ୍ଗ ଆଦି ଗ୍ରାମରେ ମୋବାଇଲ ସେବା ପହଞ୍ଚି ପାରିନାହିଁ। ଏଥିସହ ଏହି ପଞ୍ଚାୟତରେ ମୋବାଇଲ ଟାୱାର ମଧ୍ୟ ନାହିିଁ। ସେହିପରି ପାରିଖିତି ସମେତ ସୁଣ୍ଡିଢାମୁଣୀ କେତେକ ଅଞ୍ଚଳରେ  ନେଟୱାର୍କ କାମ କରୁନଥିବା ଜଣାପଡିଛି। ଅଧିକାଂଶ ଲୋକଙ୍କ ପାଖରେ ୪ଜି ମୋବାଇଲ ମଧ୍ୟ ନାହିଁ। ଅଧିକାଂଶ ସ୍ଥାନରେ ଗରିବ ଘରର ପିଲାମାନେ ଭଲ ପାଠ ପଢୁଥିଲେ ମଧ୍ୟ ସେମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିିଁ। ଫଳରେ ଅନେକ ପିଲା ଏହି ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି।