ବିବାହ ପୂର୍ବରୁ ଉଠିଲା କୋକେଇ, କାଳସର୍ପ ନେଇଗଲା ଜୀବନ

ପାଟଣା, ଏନ୍ଏନ୍ଏସ୍: ଆଉଦିନ କେଇଟା ପରେ ବାହାଘର ହୋଇଥାନ୍ତା। ବଧୂ ବେଶ ହୋଇ ଶାଶୂ ଘରକୁ ଯାଇଥାନ୍ତା। ହୁଏତ ବିଧାତାକୁ ଏସବୁ ମଞ୍ଜୁର ନଥିଲା । ସେଥିପାଇଁ ବିଧାତା କଲାସର୍ପ ପଠାଇ ଜୀବନ ନେଇଗଲା। ଏମିତି ଏକ ହୃଦୟବିଦାରକ ଘଟଣା ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ସମରା ମୁଣ୍ଡାଙ୍କ ଝିଅ ମଙ୍ଗୁଳି ମୁଣ୍ଡା(୨୨) ବୁଧବାର ରାତିରେ ଶୋଇଥିବା ସମୟରେ ତାଙ୍କୁ କୌଣସି ବିଷଧର ସାପ କାମୁଡି ଦେବାରୁ ସେ ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି ।
ପ୍ରକାଶ ଯେ, ମୃତ ଯୁବତୀଙ୍କ ଆସନ୍ତା ୯ ତାରିଖରେ ବିବାହ ହୋଇଥାନ୍ତା। ଏଥିପାଇଁ ସମସ୍ତ ପ୍ରକାର ସୁନା ଗହଣା, ଆସବାବପତ୍ର କିଣାଯାଇ ବନ୍ଧୁ ପରିଜନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଆସନ୍ତା ୯ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଭଅଁରା ଅଞ୍ଚଳରେ ବିବାହ ହୋଇଥାନ୍ତା। ହେଲେ ଭାଗ୍ୟର ବିଡ଼ମ୍ବନା, ଶାଶୂ ଘରକୁ ସବାରି ଉଠିବା ଆଗରୁ ମଶାଣିକୁ କୋକେଇ ଉଠିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି କେନ୍ଦୁଝରରେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରାଇଛି। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।