ଭାରସାମ୍ୟ ହରାଇ ମୁକୁନ୍ଦପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ, ୭ ଗୁରୁତର

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ ଓଲଟି ୧୦ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି। ‘ଓମ ସାଇ’ ନାମକ ଏକ ଘରୋଇ ବସ ଯାତ୍ରୀଙ୍କୁ ନେଇ ଜୟପୁରରୁ ଅନୁଗୁଳ ଯାଉଥିଲା। ଏହି ସମୟରେ ବସଟି ରାୟଗଡା–ବ୍ରହ୍ମପୁର ଏନ୍ଏଚ୍-୩୨୬ ମୁକୁନ୍ଦପୁର ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଖବର ପାଇ ମୁକୁନ୍ଦପୁର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।