ଆଜିଠୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା

ପୁରୀ,ଏନ୍ଏନ୍ଏସ୍: ପୁରୀ ସ୍ୱର୍ଗଦ୍ୱାରରେ ପୁଣି ଶବସତ୍କାର ଉପରେ ଲାଗିଲା କଟକଣା। ଆଜିଠୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା। କରୋନା ସଂକ୍ରମଣ ଭୟ ବଢୁଥିବାରୁ ଏପରି ନିଷ୍ପତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ।

ପୁରୀ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ପୁରୀରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରତିଦିନ ଅଧିକ ସଂଖ୍ୟକ ଲୋକ ପୁରୀ ଆସୁଛନ୍ତି। ଆଜିଠୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହକୁ ବାରଣ କରାଯାଇଛି। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ କରାଯାଇଛି। ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ ନିକଟରେ ହେବ ବୋଲି ସୂଚନା ମିଳିଛି।

ମହୋଦଧିରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାକୁ ମନା କରାଯାଇଛି। ପୁରୀର ସବୁ ପାର୍କ ବନ୍ଦ କରାଯିବା ସହ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ପିଣ୍ଡଦାନ ପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ।