ଅଙ୍ଗନବାଡ଼ିରେ ଅବହେଳା ନେଇ ଅଭିଯୋଗ କଲେ ଅଭିଭାବକ

ଖଜୁରୀପଡା,ଏନ୍ଏନ୍ଏସ୍: ଖଜୁରୀପଡା ସ୍ଥିତ ଘୁଗୁଲାସାହି ଠାରେ ଥିବା ଅଙ୍ଗନବାଡ଼ି ଏବଂ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ସମୟରେ ଶିଶୁମାନଙ୍କ ଖାଦ୍ୟ ସାମଗ୍ରୀ, ପୋଷାକପତ୍ର ବଣ୍ଟନ ସହ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କ ବିଭିନ୍ନ ଯୋଜନାରେ ପାତରଅନ୍ତର କରୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଗ୍ରାମର ବହୁ ମହିଳା ଅଭିଭାବକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଡକାଇ ଲିଖିତ ଭାବେ ଅଭିଯୋଗ କରିବା ସହ ଖବର ପ୍ରକାଶ ପାଇଁ ଅନୁରୋଧ କରିଛନ୍ତି।

ଅଙ୍ଗନବାଡ଼ି କର୍ମୀ କେନ୍ଦ୍ରକୁ ଅନେକ ସମୟରେ ଛୁଟି ଅଛି ବୋଲି ଉକ୍ତ ଦିନର ଅଣ୍ଡା ଚାଉଳ ଆଦି ପିଲାମାନଙ୍କୁ ଦେଉନଥିବା ବେଳେ ପ୍ରତି ମାସର ନିୟମାନୁଯାୟୀ ପାଇବାକୁ ଥିବା ଅଣ୍ଡା ଛତୁଆ ଚାଉଳ ପ୍ରଦାନ ବେଳେ କମ୍ ପରିମାଣରେ ଦେଉଥିବା ଅଭିଯୋଗ ହୋଇଛି। ସେହିଭଳି ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ଯଦି କୌଣସି କାରଣରୁ ଅନୁପସ୍ଥିତ ରହିଥିବେ ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ଥିବା ସାମଗ୍ରୀ ମଧ୍ୟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନେ ବାରମ୍ବାର ଲିଖିତ ଭାବେ ଖଜୁରୀପଡା ସିଡିପିଓଙ୍କୁ ଅଭିଯୋଗ କରିଥିଲା ସୁଦ୍ଧା ସିଡିପିଓ ଗୀତାଞ୍ଜଳି ପଣ୍ଡା କୌଣସି ପଦକ୍ଷେପ ନେଉନାହାନ୍ତି। ଅଭିଭାବକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଥିବା ବେଳେ ଏପର୍ଯ୍ୟନ୍ତ ସିଡିପିଓ ଘଟଣାର ତଦନ୍ତ କରିନଥିବା ଜଣାପଡିଛି। ବାଧ୍ୟ ହୋଇ ଗ୍ରାମର ପ୍ରାୟ ୫୦ ମହିଳା ଗଣମାଧ୍ୟମରେ ଖବର ପ୍ରକାଶ ପାଇଁ ଅନୁରୋଧ କରିଛନ୍ତି।