ସାଥୀରେ କେଦାରନାଥ ଦର୍ଶନ କଲେ ସାରା ଓ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଷ୍ଟାର ଡଟର୍ସ ସାରା ଅଲ୍ଲୀ ଖାନ୍ ଓ ଜାହ୍ନବୀ କପୁର  ଏକାଠି କେଦାରନାଥ ଯାତ୍ରା କରିଛନ୍ତି। ସାରା ଓ ଜାହ୍ନବୀଙ୍କ କେଦାରନାଥ ଏବଂ ବଦ୍ରିନାଥ ଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା ସ୍ପଷ୍ଟ ରୂପେ ବାରି ହୋଇପଡ଼ୁଛି। ବରଫ ପାହାଡ଼ ମଧ୍ୟରେ ଦୁହେଁ ଖୁବ୍ ମସ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିସହିତ ଦୁହେଁ ସେଠାରେ ଫ୍ୟାନଙ୍କ ସହ ଉଠାଇଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି।

ସୂଚନାଯୋଗ୍ୟ, ବଲିଉଡର ନୂଆ ବେଷ୍ଟଫ୍ରେଣ୍ଡ ବୋଲାଉଥିବା ସାରା ଓ ଜାହ୍ନବୀ ନିକଟରେ  ରଣବୀର ସିଂହଙ୍କ ଶୋ’ ‘ଦି ବିଗ ପିକଚର’ରେ ସାଥୀରେ ନଜର ଆସିଥିଲେ। ୱାର୍କଫ୍ରଣ୍ଟରୁ କହିବାକୁ ଗଲେ ସାରାଙ୍କ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ ଅତରଙ୍ଗୀ ରେ’ ରିଲିଜ ଅପେକ୍ଷାରେ ରହିଛି। ଏହି ଫିଲ୍ମରେ ସାରାଙ୍କ ସହ ଅକ୍ଷୟ କୁମାର ଓ ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନ୍ୟପଟେ  ସିଦ୍ଧାର୍ଥ ସେନଗୁପ୍ତା ଦ୍ୱାରା ନିର୍ଦ୍ଦେଶିତ ‘ଗୁଡ଼ଲକ ଜେରୀ’ ଫିଲ୍ମରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିବ।