ପାରାମାଉଣ୍ଟ୍ ଅଣ୍ଡର୍‌-୧୯ ପ୍ରିମିୟର୍ ଲିଗ୍‌, ୱାରିୟର୍ସକୁ ହରାଇ ପାରାମାଉଣ୍ଟ୍ ସ୍ପୋର୍ଟିଂ ଚାମ୍ପିଅନ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପାରାମାଉଣ୍ଟ୍ ଗ୍ରାଉଣ୍ଡ୍‌ରେ ଆୟୋଜିତ ପାରାମାଉଣ୍ଟ୍ ଅଣ୍ଡର୍‌-୧୯ ପ୍ରିମିୟର୍ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭୁବନେଶ୍ୱର ୱାରିୟର୍ସକୁ ୬ ରନ୍‌ରେ ହରାଇ ପାରାମାଉଣ୍ଟ୍ ସ୍ପୋର୍ଟିଂ ଚାମ୍ପିଅନ୍ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ପାରାମାଉଣ୍ଟ୍ ସ୍ପୋର୍ଟିଂ ଆଶୁତୋଷ ସାହୁଙ୍କ ୯୫ ଏବଂ ସୁଦର୍ଶନ ସ୍ୱାଇଁଙ୍କ ୬୧ ରନ୍ ସହାୟତାରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଜବାବରେ ଭୁବନେଶ୍ୱର ୱାରିୟର୍ସ ୪୮.୨ ଓଭର୍‌ରେ ୨୨୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।

ଟସ୍ ଜିତି ବ୍ୟାଟିଂ ନେଇଥିବା ପାରାମାଉଣ୍ଟ୍ ଖାତା ଖୋଲିବା ପୂର୍ବରୁ ଓପ୍ନର୍ ଅଂଶୁମାନ ସାହୁଙ୍କ ୱିକେଟ୍ ହରାଇଥିଲା। ଏହାପରେ ଆଶୁତୋଷ ଓ ସୁଦର୍ଶନ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନ୍ ପାର୍ଟନରଶିପ୍ କରି ଏକ ବଡ଼ ସ୍କୋର୍‌ର ମୂଳଦୁଆ ରଖିଥିଲେ। ଆଶୁତୋଷଙ୍କ ୧୩୬ ବଲ୍‌ର ଇନିଂସ୍‌ରେ ୧୩ ଚୌକା ଓ ଗୋଟିଏ ଛକା ସାମିଲ ଥିବାବେଳେ ସୁଦର୍ଶନ ୮୦ ବଲ୍‌ରେ ୭ଟି ଚୌକା ଓ ଦୁଇଟି ଚୌକା ଲଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୟଦ୍ ଅହମ୍ମଦ ୧୭ ରନ୍ କରିଥିଲେ। ୱାରିୟର୍ସ ପକ୍ଷରୁ ସୌଭାଗ୍ୟ ବେହେରା ସର୍ବାଧିକ ୫ଟି ଓ ବିକାଶ ହେମ୍ବ୍ରମ୍ ୩ଟି ୱିକେଟ୍ ନେଇଥିଲେ। ୨୩୩ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଭୁବନେଶ୍ୱର ୱାରିୟର୍ସ ପକ୍ଷରୁ ଦୁଇ ଓପ୍ନର୍ ଜନ୍ମେଜୟ ସାହୁ (୩୯) ଓ ଅଭିଷେକ ମହନ୍ତ (୩୫) ପ୍ରଥମ ୱିକେଟ୍ ପାଇଁ ୬୯ ରନ୍ ଯୋଗକରି ଭଲ ଆରମ୍ଭ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭବ୍ୟଜ୍ୟୋତି ବିଶୋୟୀ (୫୦) ଓ ସୌଭାଗ୍ୟ ବେହେରା (୬୬) ଉନ୍ନତ ବ୍ୟାଟିଂ କରି ଟିମ୍‌ର ବିଜୟ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ସହଯୋଗ ଅଭାବରୁ ଟିମ୍ ୪୮.୨ ଓଭର୍‌ରେ ମାତ୍ର ୨୨୬ ରନ୍‌ରେ ସୀମିତ ହୋଇଯାଇଥିଲା। ପାରାମାଉଣ୍ଟ୍ ପକ୍ଷରୁ ଏସ୍‌କେ ନକିବ୍ ସର୍‌ବର୍ ସର୍ବାଧିକ ୪ଟି ଏବଂ ସ୍ୱୟମ୍ ସାର୍ଥକ ରାଉତରାୟ ଓ ପ୍ରତ୍ୟୁଷ ସାହୁ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଆଶୁତୋଷଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଅଂଶୁମାନ ସାହୁଙ୍କୁ ବେଷ୍ଟ୍ ଫିଲ୍ଡର୍ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ସୁଦର୍ଶନ ସ୍ୱାଇଁ ମ୍ୟାନ୍ ଅଫ୍ ଦି ସିରିଜ୍‌, ଅଭିଷେକ ମହନ୍ତ ବେଷ୍ଟ ବ୍ୟାଟ୍ସମ୍ୟାନ୍‌, ସୌଭାଗ୍ୟ ଶେଖର ବେହେରା ବେଷ୍ଟ ଅଲ୍‌ରାଉଣ୍ଡର୍‌, ସେକ୍ ଆର୍‌ଜୁ ଅଲୀ ବେଷ୍ଟ ୱିକେଟ୍‌କିପର୍ ପୁରସ୍କାର ଜିତିଥିଲେ।

ଫାଇନାଲ୍ ମ୍ୟାଚ୍‌କୁ ପ୍ରଦୀନ ଜେନା ଓ ସୁଶାନ୍ତ ଦାଶ ପରିଚାଳନା କରିଥିବା ବେଳେ ରଶ୍ମିରଞ୍ଜନ ମଲ୍ଲ ସ୍କୋରର୍ ଥିଲେ। ପ୍ରତାପ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର ଆଥ୍‌ଲେଟିକ୍ ଆସୋସିଏସନ୍ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ମୁଖ୍ୟଅତିଥି, ଓଡ଼ିଶା ବାର୍ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଓ ପାରାମାଉଣ୍ଟ ସ୍ପୋର୍ଟିଂର ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। କ୍ଲବ୍‌ର ସମ୍ପାଦକ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।