ମଦ ବେପାରକୁ ନେଇ ପଙ୍କଜ କୁମାରଙ୍କ ହତ୍ୟା: ୩ ଗିରଫ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ସଦର ଥାନା ଅନ୍ତର୍ଗତ ଇବ୍ ସେତୁ ନିକଟରୁ ଗତକାଲି ସକାଳେ ମିଳିଥିବା ପଙ୍କଜ କୁମାରଙ୍କ ମୃତଦେହ ସମ୍ପର୍କରେ ଆଜି ପୁଲିସ ପର୍ଦ୍ଦାଫାଶ କରିଛି। ପଙ୍କଜକୁ ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀ ମନ୍ଦିର ନିକଟରେ ଗୁଳି କରି ହତ୍ୟା କରିବା ପରେ ଅଭିଯୁକ୍ତମାନେ ଇବ୍ ନଦୀ ନିକଟରେ ଫିଙ୍ଗି ଦେଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ପଙ୍କଜକୁ ହତ୍ୟା କରିଥିବା ବାପ, ପୁଅ ଓ ଅନ୍ୟଜଣେ ସହଯୋଗୀକୁ ପୁଲିସ ଗିରଫ କରିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ବରଗଡ଼ ଜିଲ୍ଲା ପଦମପୁର ଅଂଚଳର ମୀନକେତନ ବେହେରା(୪୮), ତାଙ୍କ ପୁଅ ବାଦଲ ବେହେରା(୧୮) ଓ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ନାୟକ(୩୧) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ, ଗୁଳି ଓ ବାଇକ ଜବତ କରାଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ପଙ୍କଜ ବିହାର ଲଖିସରାଇ ଜିଲ୍ଲା ବାହାରିଆ ପୁଲିସ ଷ୍ଟେସନ ଅନ୍ତର୍ଗତ ଇନ୍ଦଟୋଲ ଗ୍ରାମର ହୋଇଥିବାବେଳେ କିଛି ବର୍ଷ ହେବ ବ୍ରଜରାଜନଗର କାଳୀ ନଗର ଅଂଚଳରେ ଭଡ଼ାଘରେ ରହୁଥିଲେ। ପଙ୍କଜ ବ୍ରଜରାଜନଗର ଆସିବା ପରେ ମୀନକେତନ, ବାଦଲ ଓ ପୂର୍ଣ୍ଣଚନ୍ଦ୍ରଙ୍କ ସହ ବନ୍ଧୁତା ହୋଇଥିଲା। ପରେ ସମସ୍ତେ ମିଶି ବ୍ରଜରାଜନଗର ଅଂଚଳରେ ଖୁଚୁରା ଆକାରରେ ମଦ ବେପାର ଆରମ୍ଭ କରିଥିଲେ। ମଦ ବେପାରରୁ ଲାଭ ହେବାରୁ ସେମାନଙ୍କ ମଧ୍ୟରେ ଭାଗ ବଣ୍ଟାକୁ ନେଇ ବେଳେବେଳେ ବଚସା ମଧ୍ୟ ହେଉଥିଲା। ସେଥିପାଇଁ ପଙ୍କଜକୁ ମଦ ବେପାରରୁ ହଟାଇ ଦେବା ଲାଗି ୩ ଅଭିଯୁକ୍ତ ଯୋଜନା କରି ଗତ ୨୦ ତାରିଖ ରାତିରେ ତାଙ୍କୁ କାଳୀ ମନ୍ଦିର ନିକଟକୁ ଡାକି ସେଠାରେ ଗୁଳି କରି ହତ୍ୟା କରିଥିଲେ। ପରେ ଏକ ବାଇକ ଯୋଗେ ପଙ୍କଜର ମୃତଦେହକୁ ଆଣି ଇବ୍ ସେତୁ ନିକଟସ୍ଥ ଏକ ବୁଦାମୂଳେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ। ତେବେ ଗତକାଲି ସକାଳେ ସ୍ଥାନୀୟ ଲୋକେ ଏକ ମୃତଦେହ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବ୍ରଜରାଜନଗର ଏସଡିପିଓ ଦୀଲ୍ଲିପ ଦାସ, ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର, ଇନ୍ସପେକ୍ଟର କଲ୍ୟାଣୀ ବେହେରା, ଏସଆଇ ପିକେ ସ୍ୱାଇଁ, ରବୀନ୍ଦ୍ର ଭଏଁଷା, ମହେଶ୍ୱର ପାଣିଗ୍ରାହୀ, ଏଏସଆଇ ସଞ୍ଜୟ ସାହୁ ଓ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲେ। ଗୋଟିଏ ରାତି ଖୋଳତାଡ଼ ପରେ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।