ସରପଞ୍ଚ ଓ ପିଇଓଙ୍କ ଦ୍ୱାରା ରାଇତାବାହାଲ ପଞ୍ଚାୟତରେ ହରିଲୁଟ୍

ଦେବଗଡ଼,ଏନ୍ଏନ୍ଏସ୍ : ବାରକୋଟ ବ୍ଲକ୍ ଅନ୍ତର୍ଗତ ରାଇତାବାହାଲ ଗ୍ରାମ ପଞ୍ଚାୟତରେ ନିର୍ବାଚିତ ଜନପ୍ରତିନିଧି ତଥା ସରକାରୀ ଅଧିକାରୀଙ୍କ ଦ୍ୱାରା ପଞ୍ଚାୟତ ଉନ୍ନୟନ ପାଣ୍ଠିର ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଉକ୍ତ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଦେବଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହି ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ଉକ୍ତ ପଂଚାୟତର ସଚେତନ ନାଗରିକ କମଳ ଲୋଚନ ନାୟକ, ଦିଲ୍ଲୀପ କୁମାର ପ୍ରଧାନ, ମନୋଜ କୁମାର ସାମଲ ଓ ରଞ୍ଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ସ୍ମାରକ ପତ୍ର ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପଞ୍ଚାୟତର ଉନ୍ନତି ପାଇଁ ପଂଚାୟତବାସୀ ସରପଞ୍ଚଙ୍କୁ ନିର୍ବାଚିତ କରିଥିଲେ। ମାତ୍ର ସରପଂଚ ପଞ୍ଚାୟତର ଉନ୍ନତି କରିବା ପରିବର୍ତ୍ତେ ଉନ୍ନୟନ ପାଇଁ ଆସିଥିବା ୨୨ଲକ୍ଷ ଟଙ୍କାକୁ ନିର୍ବାହୀ ଅଧିକାରୀଙ୍କ ସହ ମିଶି ବିନା କାର୍ଯ୍ୟରେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସେହିପରି ଉକ୍ତ ପଞ୍ଚାୟତର ଗରିବ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ କୌଣସି ସହାୟତା ପ୍ରଦାନ ନକରି ପଞ୍ଚାୟତରୁ ୯୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଥିବା ଜଣାପଡ଼ିଛି। ସେହିପରି କରୋନା ମହାମାରୀ ମୁକାବିଳା ନାମରେ ଆସିଥିବା ବ୍ୟାପକ ଅର୍ଥର କୌଣସି ହିସାବ ନଥିବା ପଞ୍ଚାୟତର ଏଏସଏମଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଦରମା ପ୍ରଦାନ କରାନଯିବା, ବିଗତ ଆର୍ଥିକ ବର୍ଷରେ ଜଳଛତ୍ର ଅର୍ଥ ପୈଠ କରାନଯିବା, ପଞ୍ଚାୟତ ଗୋଦାମ ଗୃହରେ ବ୍ୟବହାର କରାଯାଇଥିବା ଅନୁନ୍ୟ ୫ଲକ୍ଷ ଟଙ୍କା ମୂଲ୍ୟର କଡ଼ି ଓ କାଠପଟା ଆଦିକୁ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଥିବାବେଳେ ଉକ୍ତ ପଞ୍ଚାୟତରେ ନିୟମିତ ମାସିକ ବୈଠକ ହେଉନଥିବା, ସଭା ବହି ଏବଂ କ୍ୟାସବୁକ ଗାୟବ ହୋଇଯାଇଥିବା ଭଳି ଗୁରୁତର ଅଭିଯୋଗ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଏଭଳି ଗୁରୁତର ଅଭିଯୋଗର ତୁରନ୍ତ ତଦନ୍ତ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିବା ସହ ଅଭିଯୋଗପତ୍ରର ଏକ ନକଲ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଛନ୍ତି।