ସଇଁନ୍ତଲାରେ ପଞ୍ଚାୟତ ସମିତି ପ୍ରଥମ ବୈଠକ: ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସମିତି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସିଡିପିଓ ସବିତା ଦାସ, ବିଡିଓ ଚନ୍ଦ୍ରମଣି ନାଗ, ଏବିଡିଓ ପ୍ରଦୀପ ପଟ୍ଟନାୟକ, ବେଳଗାଁ ଜିଲ୍ଲାପରିଷଦ ସଭ୍ୟା ରିତାରାଣୀ ହାତୀ, ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ହିମାଞ୍ଚଳ ବୁଡ଼େକ ଓ ସଂସାଦଙ୍କ ବ୍ଲକ ପ୍ରତିନିଧୀ ଅକ୍ଷୟ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରୀଷ୍ମ ପ୍ରବାହ ଯୋଗୁ ପାଣିର ଘୋର ସମସ୍ୟା ଦେଖା ଦେଇଥିବାବେଳେ ତାହାକୁ କିଭଳି ଭାବେ ଗୁରୁତ୍ୱ ଦିଆଯିବ ଓ ଲୋକଙ୍କ ଘରକୁ ଘର ଜଳ ଯୋଗାଣ ହେବ ସେନେଇ ଆଲୋଚନା ହୋଇଥିଲା । ସଇଁନ୍ତଲା ଡାକ୍ତରଖାନାର ଅଧିକାରୀଙ୍କୁ ବଦଳି ଓ ସଇଁନ୍ତଲାକୁ ଏନଏସସି ମାନ୍ୟତା ଦାବି ଭଳି ଅନେକ ଗୁରୁତ୍ୱପୂର୍ଣ ଅଭିଯୋଗ କରିଥିଲେ ହୋଇଥିଲା । ୨୦୧୬ରୁ ବାଦୀପଡ଼ା ଓ ସଇଁନ୍ତଲାକୁ ସଂଯୋଗ କରୁଥିବା ବ୍ରିଜଟି ଅଧାପନ୍ତରିଆ ଭାବରେ ପଡ଼ି ରହିଥିବାରୁ କେବେ ସମ୍ପୂର୍ଣ୍ଣ ହେବ ବୋଲି ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଚାଷୀଙ୍କ ପ୍ରତି ଅଣଦେଖା କରୁଥିବା ବେଳେ ତାକୁ ନେଇ ଏହି ବୈଠକରେ ସରପଞ୍ଚ ଓ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ଉଠିଥିଲା । ଏଥିରେ ୨୨ଟି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ବିଭିନ୍ନ କାର୍ଯ୍ୟାଳୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିପିଓ ଲକ୍ଷଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।