ଆଇସିସି ଟି-୨୦: ବାବର୍‌ଙ୍କ ଅର୍ଦ୍ଧଶତକ ସହ ପାକିସ୍ତାନର ହ୍ୟାଟ୍ରିକ୍ ବିଜୟ

ଦୁବାଇ,ଏଜେନ୍ସି: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ରେ ଶୁକ୍ରବାର ଦ୍ୱିତୀୟ ମୁକାବିଲାରେ ପାକିସ୍ତାନ ପ୍ରତିପକ୍ଷ ଆଫଗାନିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରି ୫ ୱିକେଟ୍‌ରେ ବିଜୟୀ ହୋଇଛି। ଏଥିସହ ଦଳ ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇଥିବା ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ହରାଇଥିଲା। ଶୁକ୍ରବାରର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଆଫଗାନିସ୍ତାନ ୬ଟି ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଦଳ ପକ୍ଷରୁ ପ୍ରଥମ ୫ ଜଣ ବ୍ୟାଟ୍ସମ୍ୟାନ୍ ବିଶେଷ ଯୋଗଦାନ ଦେଇପାରି ନ ଥିଲେ ହେଁ ଷଷ୍ଠରୁ ଅଷ୍ଟମ ସ୍ଥାନ ମଧ୍ୟରେ ବ୍ୟାଟିଂ କରିବାକୁ ଆସିଥିବା ନଜିବୁଲ୍ଲା ଜାଡରାନ୍‌, ମହମ୍ମଦ ନବୀ ଓ ଗୁଲବଦିନ୍ ନାଏବ୍ ଉପଯୋଗୀ ଇନିଂସ ଖେଳି ପାକିସ୍ତାନକୁ ଏକ ଚାଲେଞ୍ଜିଂ ଟାର୍ଗେଟ୍ ଦେଇଥିଲେ।

୭୬ ରନ୍ ମଧ୍ୟରେ ଦଳ ୬ଟି ୱିକେଟ୍ ହରାଇବା ପରେ ନବୀ ଓ ଗୁଲବଦିନ୍ ସପ୍ତମ ୱିକେଟ୍‌ରେ ଅବିଭାଜିତ ୭୧ ରନ୍ ଯୋଡ଼ିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ୩୫ ରନ୍ ଲେଖାଏଁ କରିଥିଲେ। ନବୀଙ୍କ ଅପରାଜିତ ଇନିଂସରେ ୫ଟି ଚୌକା ରହିଥିବା ବେଳେ ଗୁଲବଦିନ୍ ୨୫ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏହା ପୂର୍ବରୁ ନଜିବୁଲ୍ଲା ୩ଟି ଚୌକା ଓ ଗୋଟିଏ ଛକା ସହ ୨୨ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ଇମାଦ୍ ୱାସିମ୍ ୨ଟି ଏବଂ ଶାହିନ୍ ଆଫ୍ରିଦି, ହ୍ୟାରିସ୍ ରୌଫ୍‌, ହସନ୍ ଅଲୀ ଓ ଶାଦାବ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ପାକିସ୍ତାନ ଓପନର ମହମ୍ମଦ ରିଜୱାନ୍ (୮ ରନ୍‌, ୧ ଚୌକା)ଙ୍କୁ ସଅଳ ହରାଇଥିଲେ ହେଁ ଅଧିନାୟକ ବାବର୍ ଆଜମ୍ ୪ଟି ଚୌକା ସହ ୫୧ ରନ୍ କରିଥିଲେ। ଏହାଛଡ଼ା ସେ ୨ଟି ଚୌକା ଓ ଗୋଟିଏ ଛକା ସହ ୩୦ ରନ୍ କରିଥିବା ଫାଖର୍ ଜମାନ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍‌ରେ ୬୩ ରନ୍ ଯୋଡ଼ିଥିଲେ। ଆଫଗାନିସ୍ତାନ ସ୍ୱଳ୍ପ ରନ୍ ବ୍ୟବଧାନରେ ମହମ୍ମଦ ହାଫିଜ୍ (୧୦), ଶୋଏବ୍ ମଲିକ (୧୯ ରନ୍‌, ୧ ଚୌକା, ୧ ଛକା) ଓ ବାବର୍ ଆଜମ୍‌ଙ୍କ ୱିକେଟ୍ ନେବା ଫଳରେ ପାକିସ୍ତାନ ପ୍ରଶଂସକ ଚିନ୍ତାରେ ପଡ଼ିଯାଇଥିଲେ।

ଶେଷ ଦୁଇ ଓଭରରେ ୨୪ ରନ୍ ଆବଶ୍ୟକ ହେଉଥିଲେ ହେଁ ଆସିଫ୍ ଅଲୀ ୭ଟି ବଲ୍‌ରେ ୪ଟି ଛକା ସହ ୨୫ ରନ୍ କରି ୧୯ ଓଭର୍‌ରେ ପାକିସ୍ତାନକୁ ବିଜୟୀ କରାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ରଶିଦ୍ ଖାନ୍ ୨ଟି ୱିକେଟ୍ ନେଇ ଟି-୨୦ କ୍ରିକେଟ୍‌ରେ ଶହେତମ ୱିକେଟ୍ ନେବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି।