ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଟାଲୀରେ ଭବ୍ୟ ସ୍ୱାଗତ, ଆଜି ପୋପ ଫ୍ରାନ୍ସିସଙ୍କୁ ଭେଟିବେ

ରୋମ୍‌,ଏଜେନ୍ସି: ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଟାଲୀରେ ଭବ୍ୟ ସ୍ୱାଗତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଇଟାଲୀ ସମକକ୍ଷ ମାରିଓ ଦ୍ରାଘୀଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦ୍ରାଘୀ ରୋମର ପଲ୍ଳାଜୋ ଚିଗୀରେ ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଉଭୟ ନେତା ଏକ ବୈଠକରେ ଦ୍ୱିପାକ୍ଷୀକ ଓ ବିକାଶମୂଳକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାଟିକାନ ସିଟିରେ ପୋପ୍‌ ଫ୍ୟାନ୍ସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ ମହାମାରୀରେ ପ୍ରଭାବିତ ବିଶ୍ୱର ଅର୍ଥ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପୁଣି ଥରେ ସ୍ୱାଭାବିକ ସ୍ତରକୁ ଆଣିବା ପାଇଁ ଚର୍ଚ୍ଚା କରିବେ। ରୋମ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଟାଲୀ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଟାଲୀରେ ଭାରତର ରାଷ୍ଟ୍ରଦୂତ ସ୍ୱାଗତ ଜଣାଇଥିଲେ। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବୟାନ ଜାରି କରି ସୂଚନା ଦିଆଯାଇଛି।