ବଡ଼ ଉଦ୍ୟୋଗ ଉପରେ ୧୦% ସୁପର ଟ୍ୟାକ୍ସ ଲାଗୁ କଲା ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା, ରାଜସ୍ୱ ବଢାଇବା ଏବଂ ଦର ବୃଦ୍ଧିକୁ ନଜରରେ ରଖି ଦେଶର ବଡ଼ ବଡ଼ ଉଦ୍ୟୋଗ ଉପରେ ୧୦ ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ସରକାର। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ରାଷ୍ଟ୍ରକୁ ସମ୍ୱୋଧିତ କରି ଏହି ଘୋଷଣା କରିଛନ୍ତି। ପାକିସ୍ତାନ ସରକାରର ଏହି ନିଷ୍ପତ୍ତି ପରେ ଷ୍ଟକ ଏକ୍ସଚେଞ୍ଜ ଧରାଶାୟୀ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ସରିଫ ଘୋଷଣା କରି ରାଜ୍ୟସ୍ୱ ବଢାଇବା ଏବଂ ଦରବୃଦ୍ଧିରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଦେଶର ବଡ଼ ଉଦ୍ୟୋଗ ଉପରେ ୧୦ ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ବଡ଼ ଉଦ୍ୟୋଗରେ ସିମେଣ୍ଟ, ଷ୍ଟିଲ, ଚିନି, ତୈଳ ଓ ଗ୍ୟାସ୍‌, ସାର, ଏଲ୍‌ଏନ୍‌ଜି ଟର୍ମିନାଲ, ବୟନ ଶିଳ୍ପ, ବ୍ୟାଙ୍କିଙ୍ଗ୍‌, ଅଟୋମୋବାଇଲ ଏବଂ ସିଗାରେଟ୍ ସହ ଜଡିତ ଉଦ୍ୟୋଗ ଉପରେ ଏହି ୧୦ ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଦେଶବାସୀଙ୍କୁ ସମ୍ୱୋଧିତ କରି ଶହବାଜ ସରିଫ କହିଛନ୍ତି, ଦେଶକୁ ଭୟଙ୍କର ସଂକଟରୁ ବାହାର କରିବା ପାଇଁ ମେଣ୍ଟ ସରକାରକୁ ଏହି କଠୋର ନିଷ୍ପତ୍ତି ନେବାକୁ ପଡିଛି।