ଦିଲ୍ଲୀରେ ରହୁଥିବା ପାକିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କୀ ଆକ୍ରମଣକୁ ନେଇ ଷଡ଼ଯନ୍ତ୍ର ରଚୁଥିବା ଏକ ପାକିସ୍ତାନୀ ଆତଙ୍କବାଦୀକୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଗିରଫ କରିଛି। ଆତଙ୍କବାଦୀ ଜଣକ ହେଲେ ମହମ୍ମଦ ଅଶରଫ ଅରଫ ଅଲ୍ଲୀ। ମହମ୍ମଦ ପାକିସ୍ତାନର ପଞ୍ଜାବ ବାସିନ୍ଦା ହୋଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଇଙ୍ଗିତରେ କାମ କରୁଥିଲା। ଗିରଫ ପରେ ପୁଲିସ ମହମ୍ମଦଠାରୁ ଏକେ ୪୭ ରାଇଫଲ, ୬୦ କାଟ୍ରିଜ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ଓ ୨ଟି ପିସ୍ତଲ ଜବତ କରିଛି।

ଦିଲ୍ଲୀ ପୁଲିସ ସୂତ୍ରରୁ ଜଣାପଡ଼ିଛି କି, ଉକ୍ତ ପାକିସ୍ତାନୀ ଆତଙ୍କବାଦୀ ଗତ ୧୫ ବର୍ଷରୁ ଦିଲ୍ଲୀରେ ରହିବା ସହ ଜଣେ ଭାରତୀୟ ଝିଅକୁ ବିବାହ କରିଥିଲା। କିନ୍ତୁ ଏବେ ସ୍ତ୍ରୀଠାରୁ ଅଲଗା ରହୁଛି। ସେ ଦିଲ୍ଲୀର ସ୍ଲିପର ସେଲର ମୁଖିଆ ଥିଲା ଏବଂ ଭାରତ ଆସୁଥିବା ଆତଙ୍କବାଦୀଙ୍କୁ ହଥିୟାର ଯୋଗାଉଥିଲା। ଦିଲ୍ଲୀରେ ତା’ ସମ୍ପର୍କରେ ଆହୁରି ଲୋକ ଅଛନ୍ତି। ସେଥିପାଇଁ ଆଗାମୀ ଦିନରେ ଆହୁରି ଅନେକ ଜଣଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୁଲିସ କହିଛି।