ବରଗଡ଼,ଏନ୍ଏନ୍ଏସ୍: ପଦ୍ମପୁର ଏନଏସିରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସହରକୁ ୬୫ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୧ ତାରିଖ ରବିବାର ଅପରାହ୍ନ ୧ଟାରୁ ୨୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ପଦ୍ମପୁର ସହର ସଟଡାଉନ ରହିବ। ସେହିପରି ଆଜି ଚିହ୍ନଟ କରୋନା ଆକ୍ରାନ୍ତ ହୋମ କ୍ୱାରେଣ୍ଟାଇନରେ ଥିବାବେଳେ ଉକ୍ତ ଅଚଂଳକୁ ନିଷିଦ୍ଧାଚଂଳ ଭାବରେ ଘୋଷଣା କରାଯାଇଛି। ପଦ୍ମପୁର ସହରରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଏସମୟରେ କେହି ନିୟମ ଭଙ୍ଗ କରିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ସେହିପରି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ପଚାଂୟତକୁ ତିନି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି।ସରପଂଚ ହୃଦାନନ୍ଦ ଖମାରୀ। କମଗାଁରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ରବିବାର ସକାଳ ୬ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। କମଗାଁ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ ସଟଡାଉନ ନିୟମକୁ କଡ଼ାକଡ଼ି କରିବାକୁ ସରପଂଚ ଖମାରୀ ନିର୍ଦ୍ଦେଶ ଦେଇଛନ୍ତି।