ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡ୍ଫୋର୍ଡ ଓ ୟେଲ୍ ଭଳି ପ୍ରତିଷ୍ଠିତ ଆନ୍ତର୍ଜାତିକ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବାକୁ ଯାଉଛି । ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିବେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି ।
ଦକ୍ଷିଣ ଏସିଆର ପ୍ରାୟ ସାଢେ ୭ ଲକ୍ଷ ଛାତ୍ରଛାତ୍ରୀ ପ୍ରତିବର୍ଷ ଉଚ୍ଚଶିକ୍ଷା ଲାଗି ଆମେରିକା, ଇଂଲଣ୍ଡର ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଉଛନ୍ତି । ସେଠାରେ ଅଧ୍ୟୟନ ପାଇଁ ବାର୍ଷିକ ପ୍ରାୟ ୧୫୦୦ କୋଟି ଡଲାର ଖର୍ଚ୍ଚ ହେଉଛି । ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତର ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଖୋଲିବାକୁ ନିଷ୍ପତ୍ତି ନେବେ ।