ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଧଡିପାଣି ଗ୍ରାମର ବଳମତ ପାତ୍ର(୫୫)ନାମକ ଜଣେ ବୃଦ୍ଧଙ୍କ ବାଇକ୍ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲୁହାବାହେଲି ଗ୍ରାମର ପ୍ରସାଦ ଗୌଡ଼(୩୨) ଏବଂ ଜୟଧର ଗୌଡ଼(୩୦) ଚନ୍ଦାହାଣ୍ଡିରୁ ନିଜ ଗ୍ରାମକୁ ଏକ ସିଡି ଡିଲକ୍ସ ବାଇକ ଯୋଗେ ଫେରୁଥିଲେ। ସେହିପରି ଧଡିପାଣି ଗ୍ରାମର ବଳମତ ପାତ୍ର ନାମକ ୫୫ ବର୍ଷୀୟ ବୃଦ୍ଧ ବିଲରୁ କାମ ସାରି ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ବାଇକଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧ ଜଣଙ୍କ ତଳେ ପଡି ସଂଜ୍ଞାହୀନ ହୋଇପଡିଥଲେ।
ସେଠାରୁ ତାଙ୍କୁ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ପରିବାର ପକ୍ଷରୁ ଚନ୍ଦାହାଣ୍ଡି ଥାନାରେ କୌଣସି ଏତଲା ଦିଆଯାଇନଥିବା ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।