ସିରିଆ ଉପକୂଳରେ ବୁଡିଲା ବୋଟ, ୭୦ରୁ ଊର୍ଦ୍ଧ୍ବ ମୃତ

ଡୋମାସକସ,ଏଜେନ୍ସି: ମଧ୍ୟପ୍ରାଚ୍ୟ ଦେଶ ସିରିଆ ଉପକୂଳରେ ଏକ ବୋଟ ବୁଡିଯିବା ଫଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଛନ୍ତି । ଗୁରୁବାର ଏହି ଅଘଟଣ ଘଟିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଏବେ ମଧ୍ୟ ଅନେକ ନିଖୋଜ ରହିଥିବା ସିରିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ଏହି ବୋଟରେ ଶରଣାର୍ଥୀ ଥିବା ନେଇ ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ସ୍ବାସ୍ଥ୍ୟମନ୍ତ୍ରୀ ହାସନ ଅଲ ଗବ୍ବାସ ସୂଚନା ଦେଇ କହିଛନ୍ତି, ‘‘ଗୁରୁବାର ସିରିଆର ଉପକୂଳ ସହର ଟାର୍ଟୁସରେ ଏହି ଅଘଟଣ ଘଟିଛି । ବୋଟରେ ମୋଟ କେତେ ଯାତ୍ରୀ କିମ୍ବା ଶରଣାର୍ଥୀ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର ଅପରେସନ ଜାରି ରହିଛି ।’’ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ମୃତଦେହ ଉଦ୍ଧାର କରାଯାଇ ସାରିଲାଣି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେମାନେ ସିରିଆର ପ୍ରକୃତ ନାଗରିକ ନା ବେଆଇନ ଭାବେ ସିରିଆରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଶରଣାର୍ଥୀ ତାହା ବର୍ତ୍ତମାନ ସଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଦୁର୍ଘଟଣା ନେଇ ସିରିଆର ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି, ଏହି ବୋଟରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ଥିଲେ । ବୋଟରେ ମାତ୍ର ୩୦ ଜଣ ଯାତ୍ରା କରିବା କ୍ଷମତା ଥିବା ବେଳେ ପ୍ରାୟ ୧୦୦ରୁ ୧୫୦ ଜଣ ଏଥିରେ ଯାତ୍ରା କରୁଥିଲେ । ଅତ୍ୟଧିକ ଲୋଡିଂ କାରଣରୁ ଭାରସାମ୍ୟ ହରାଇ ଏପରି ଘଟିଥିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଶରାଣାର୍ଥୀ ପ୍ରସଙ୍ଗ ଉଠିବାରୁ ପଡୋଶୀ ଲେବନନ ମଧ୍ୟ ପ୍ରତିକ୍ରିୟା ରଖିଛି । ଲେବନନ ପରିବହନ ମନ୍ତ୍ରୀ କହିଛନ୍ତି, ‘‘ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ମାତ୍ର ୫ ଜଣ ଲେବନନ ନାଗରିକ ଥିବା ଜଣାପଡିଛି । ଅନ୍ୟ ୧୨ ଜଣ ସିରିଆର ଓ ୩ ଜଣ ପାଲେଷ୍ଟାଇନ ନାଗରିକ ରହିଛନ୍ତି । ସେହିପରି ପ୍ରାଣ ହରାଇଥିବା ଲେବନନ ନାଗରିକଙ୍କ ମୃତଦେହ ଉଦ୍ଧାର ପରେ ସେଗୁଡିକୁ ଲେବନନକୁ ଫେରାଇ ଅଣାଯିବା ନେଇ ସିରିଆ ସରକାରଙ୍କ ସହ ଆଲୋଚନା କରାଯିବା ନେଇ’’ ସେ ସୂଚନା ଦେଇଛନ୍ତି ।