ଜାତିସଂଘ ସୁରକ୍ଷା ପରିଷଦରେ ଆବଶ୍ୟକ ଜରୁରୀ ଓ ବ୍ୟାପକ ସଂସ୍କାର: ଭାରତ

ୱାଶିଂଟନ,ଏଜେନ୍ସି: ବର୍ତ୍ତମାନର ବିଶ୍ବକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘରେ ଜରୁରୀ ଓ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି । ଜାତିଂସଘର ସୁରକ୍ଷା ପରିଷଦରେ ଏହି ସଂସ୍କାର ଆସିବା ଫଳରେ ବର୍ତ୍ତମାନର ବିକାଶଶୀଳ ବିଶ୍ବର ଆକାଂକ୍ଷା ଓ ଦୃଷ୍ଟିକୋଣର ପ୍ରତିଫଳନ ହୋଇପାରିବ ଏକ ଯୁଗ୍ମ ବିବୃତ୍ତିରେ ଭାରତ କହିଛି । ଭାରତ ସମେତ ମୋଟ ୩୨ ଦେଶ ଏହି ସଂସ୍କାର ପାଇଁ ଦାବି କରି ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି ।

ଏହି ଦେଶଗୁଡିକ ଜାରି କରିଥିବା ମିଳିତ ଘୋଷଣାନାମାରେ ପ୍ରକାଶ କରିଛନ୍ତି, ଜାତିଂଘର ସୁରକ୍ଷା ପରିଷଦ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଏକ ପ୍ରମୁଖ ଅଙ୍ଗ ଭାବେ କାର୍ଯ୍ୟ ଜାରି ରଖିଛି । ତେଣୁ ବର୍ତ୍ତମାନର ବୈଶ୍ବିକ ସ୍ଥିତିକୁ ଲକ୍ଷ୍ୟ କଲେ ବିକାଶଶୀଳ ଦେଶଙ୍କ ଦୃଷ୍ଟିକୋଣ ଓ ସେମାନଙ୍କ ଆକାଂକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ହେବ । ତେଣୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଜରୁରୀ ଓ ବ୍ୟାପକ ସୁଧାରମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାର ସମୟ ଆସିଛି ବୋଲି ମିଳିତ ବିବୃତ୍ତିରେ ମତ ପ୍ରକାଶ ପାଇଛି ।

ସାମ୍ପ୍ରତିକ ବିଶ୍ବରେ ଦେଖିବାକୁ ମିଳିଥିବା ବିକାଶ ପ୍ରତି ଆହ୍ବାନ, ଗରିବୀ, ମହାମାରୀ, ଜଳବାୟୁ ପରିବର୍ତ୍ତନ, ବିଶ୍ବ ଖାଦ୍ୟ ସୁରକ୍ଷା, ଆଭ୍ୟନ୍ତରୀଣ ସଙ୍କଟ ଓ ଦ୍ବନ୍ଦ୍ବ ଆଦି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ନିରପେକ୍ଷ ଭାବେ ସମାଧାନର ବାଟ ଖୋଜିବାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ନଆସିବା ଏହି ସବୁ ପ୍ରସଙ୍ଗରେ ସମସ୍ୟା ସୃଷ୍ଟି କରୁଛି । ତେଣୁ ସୁରକ୍ଷା ପରିଷଦରେ ସୁଧାର ଆସି ପାରିଲେ ଦେଶମାନଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବା ଦିଗରେ ସହାୟକ ହେବ।

ଏହି ରାଷ୍ଟ୍ର ସମୂହର ପ୍ରତିନିଧିମଣ୍ଡଳୀର ମୁଖ୍ୟ ମିଳିତ ବିବୃତ୍ତିରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି,‘‘ବହୁପକ୍ଷବାଦର ମୌଳିକତା ବଜାୟ ରହିବା ନେଇ ଆମେ ନିଶ୍ଚିତ ଆଶାବାଦୀ । ଏକ ବିଚାରଧାରା ଭାବେ ଆମେ ସମସ୍ତେ ସମ୍ମିଳିତ ଓ ଆଗକୁ ବଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ମଧ୍ୟ । ପ୍ରଭାବୀ ଉତ୍ତର ଦାୟିତ୍ବ ଓ ଭାଗିଦାରୀ ସହ ଅନ୍ତର୍ଜାତୀୟ ଦୃଷ୍ଟିକୋଣରେ ଆଗକୁ ବଢିବା ପାଇଁ ଆମେ ସଂକଳ୍ପବଦ୍ଧ ।’’ ପୂର୍ବରୁ ମଧ୍ୟ ଭାରତ ଏକାକି ଏପରି ସୁଧାରମୂଳକ ଦାବି ସହ ପ୍ରସ୍ତାବ ରଖି ଆସିଛି । ସଦସ୍ୟତାରେ ସଂସ୍କାର ଆସିବା ନେଇ ଭାରତ ଅନେକ ଥର ଆପତ୍ତି ମଧ୍ୟ ଉଠାଇ ସାରିଛି ।