ଉପ ରାଷ୍ଟ୍ରପତି ନିର୍ବାଚନ: ମିଳିତ ପ୍ରାର୍ଥୀ ନେଇ ୧୭ରେ ବିରୋଧୀଙ୍କ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ନିର୍ବାଚନ ପରି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ମିଳିତ ପ୍ରାର୍ଥୀ ଦେବା ନେଇ ଆଗ୍ରହୀ ବିରୋଧୀ ଦଳ । ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ୧୭ ତାରିଖରେ ସମସ୍ତ ବିରୋଧୀ ଦଳର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମସ୍ତ ବିରୋଧୀ ଦଳର ନେତା ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ।

ଖାର୍ଗେ କହିଛନ୍ତି, ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ସର୍ବଦଳୀୟ ବୈଠକ ଡାକିଛନ୍ତି । ତେଣୁ ଏହା ପୂର୍ବରୁ ୧୭ରେ ବିରୋଧୀ ଦଳମାନେ ଏକାଠି ହୋଇ ମିଳିତ ମଞ୍ଚ ପକ୍ଷରୁ ଉପଯୁକ୍ତ ପ୍ରାର୍ଥୀ ନେଇ ବିଚାରବିମର୍ଶ କରିବେ । ବିଭିନ୍ନ ବିରୋଧୀ ଦଳମାନେ ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆଣିବେ ବୋଲି ଖାର୍ଗେ କହିଛନ୍ତି ।

ତେବେ ଏହି ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ କଂଗ୍ରେସ ଆଗୁଆ ନଜର ଆସୁଥିବାରୁ, ପ୍ରାର୍ଥୀ କଂଗ୍ରେସରୁ ହେବ କି ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି ଖାର୍ଗେ । କଂଗ୍ରେସ ନିଜ ପ୍ରାର୍ଥୀ ଛିଡା କରିବାକୁ ଚାହୁଁନାହିଁ । ସମସ୍ତ ବିରୋଧୀ ଦଳଙ୍କ ସହମତିରେ ଯେକୌଣସି ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମରେ ଚୂଡାନ୍ତ ମୋହର ଲାଗିବା ନେଇ ସେ ମତ ରଖିଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁଲାଇ ୧୯ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଅଗଷ୍ଟ ୬ ତାରିଖରେ ଭୋଟିଂ ହେବ । ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଅଗଷ୍ଟ ୬ ତାରିଖରେ ଦେଶର ନୂତନ ତଥା ୧୬ ତମ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।