ମହାରାଷ୍ଟ୍ର: ଆଜି ପ୍ରବଳ ବର୍ଷା ଆଶଙ୍କା; ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଲାଗୁ, ଶିକ୍ଷାନୁଷ୍ଠାନ ବନ୍ଦ

ମୁମ୍ବାଇ,ଏଜେନ୍ସି: ପୁଣେ ଓ ନାଗପୁର ସମତେ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ପ୍ରବଳ ବର୍ଷା ନେଇ ଆକଳନ ହେବା ପରେ ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଲାଗୁ କରିଦେଇଛନ୍ତି । ଏହା ପୂର୍ବରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳାର୍ଣ୍ଣବ ଦେଖିବାକୁ ମିଳିଛି ।

ଠାଣେ, ମୁମ୍ବାଇ ପାଇଁ ଗୁରୁବାର ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଏବଂ ପାଲଘର ଓ ରାୟଗଡ଼ରେ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ଏଠାରେ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଗଡ଼ଚିରୋଲିରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ସମସ୍ତ ସରକାର ଓ ଘରୋଇ ସ୍କୁଲ-କଲେଜକୁ ଜୁଲାଇ ୧୬ ତାରିଖ ଯାଏଁ ବନ୍ଦ କରିଦିଆଯାଇଛି ।

ପ୍ରବଳ ବର୍ଷା କାରଣରୁ ପୁଣେ ଜିଲ୍ଲା ପ୍ରଶାସନ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ୧୪୪ ଧାରା ଲାଗୁ କରିଦେଇଛି । ପ୍ରଶାସନ ଜୁଲାଇ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ୧ କିମି ପରିଧି ଭିତରେ ପ୍ରବେଶ ନେଇ କଟକଣା ଜାରି କରିଛି । ସୂଚନାଯୋଗ୍ୟ, ବର୍ଷା ଯୋଗୁଁ ନାଗପୁରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ପାଣିପାଗ ବିଭାଗ ଆଗାମୀ ୩ ଦିନ ଯାଏଁ ମୁସଲଧାରା ବର୍ଷା ହୋଇପାରେ ବୋଲି ପୂର୍ବରୁ ସୂଚନା ଦେଇଛି । ପାଳଘରରେ ଭୂସ୍ଖଳନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଡ଼ଚିରୋଲିରେ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।