ବିଭିନ୍ନ ଦାବିନେଇ ଓପିଜିସି ସମ୍ମୁଖରେ କର୍ମଚାରୀଙ୍କ ପ୍ରତିବାଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବନହରପାଲିସ୍ଥିତ ଓପିଜିସିର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆଜି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ସେମାନେ ୭ମ ବେତନ ଅନୁଯାୟୀ ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା, ସରକାରଙ୍କ ପେନସନ୍ ଯୋଜନା ଅନୁସାରେ ଓପିଜିସି କର୍ମଚାରୀଙ୍କ କ୍ଷେତ୍ରରେ ପେନସନ୍ ଯୋଜନା କାର୍ଯ୍ୟକାରୀ, ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ମେଡିକାଲ ପଲିସିରେ ସମ୍ପ୍ରସାରଣ ସହ ଏଇଏସ କର୍ମଚାରୀଙ୍କ ରିସୋର୍ସ ସେୟାରିଂ କୁ ବନ୍ଦ କରିବା, ବିଭିନ୍ନ ବିଭାଗରେ ଦୀର୍ଘ ଦିନ ଧରି ବନ୍ଦ ପ୍ରୋମସନକୁ ଲାଗୁ କରିବା ଆଦି ଦାବି କରିଛନ୍ତି ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଓପିଜିସିରେ ଥିବା ଏଇଏସ କମ୍ପାନୀର ୪୯ ପ୍ରତିଶତ ଅଂଶଧନ କିଣି ରାଜ୍ୟ ସରକାର ଓପିଜିସିର ମାଲିକାନା ନିଜ ହାତକୁ ଆଣିବା ପରେ ଏଇଏସ କମ୍ପାନୀ ଦ୍ୱାରା ନିଯୁକ୍ତି ପାଇଥିବା କିଛି ଅଧିକାରୀ ମାନେ ପୁଣି ଓପିଜିସି ରେ ରହିବାକୁ ମସୁଧା ଚଳାଇଛନ୍ତି । ତେଣୁ ସେମାନଙ୍କୁ  ଚାକିରୀରୁ ବହିଷ୍କାର କରାଯାଉ। ଏଇଏସ ନିର୍ମାଣ କରିଥିବା ୟୁନିଟ ୩ ଏବଂ ୪ ଉଦଘାଟନ ହେବାର ୧୮ ମାସ ପରେ ମଧ୍ୟ ୨୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କ୍ଷମ ହୋଇପାରିଛି । ତେଣୁ ଏହା ନିମ୍ନମାନର କାମ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଡିଟ କରି ଏହାର ଯାଞ୍ଚ କରାଯାଉ ବୋଲି କର୍ମଚାରୀ ସଂଘ ଦାବି କରିଛି।