ବାଲି ମାଫିଆଙ୍କୁ ଧରିବାକୁ ଯାଇ ୨ ଆରଆଇ ହଟହଟା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ବେଆଇନ ଭାବେ ବାଲି ଚୋରା ଚାଲାଣ ବଢ଼ିବାରେ ଲାଗିଥିବାବେଳେ ତହସିଲଦାର ଓ ଆରଆଇଙ୍କ ହାବୁଡ଼ରେ ପଡ଼ି ଜୋରିମାନା ମଧ୍ୟ ଭୋରିବାକୁ ପଡ଼ୁଛି । ଏହି କ୍ରମରେ ବାଲି ମାଫିଆଙ୍କ ଗାଡ଼ିକୁ ଧରିବାକୁ ଯାଇ ବିଭାଗୀୟ ଅଧିକାରୀଙ୍କୁ ହଟହଟା ସାଙ୍ଗକୁ ଆକ୍ରମଣର ଶିକାର ହେବାକୁ ପଡ଼ିଥିବା ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ସଇଁନ୍ତଲା ବ୍ଲକର ବୁଢ଼ାବାହାଲ ପଞ୍ଚାୟତ ରେମଣ୍ଡା ବାଲି ଘାଟରୁ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ଡୋଲାମଣି ବାଗ ଚୋରା ଚାଲାଣ କରୁଥିବା ନେଇ ସଇଁନ୍ତଲା ଆରଆଇ ଅଶ୍ୱନି କୁମାର ଜାଲ ଓ ସରୋଜ ଜାଲ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଁଚି ଚଢ଼ଉ କରିଥିଲେ । କିନ୍ତୁ ଏହି ସମୟରେ ୨ ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଶିକାର ହେବାକୁ ପଡ଼ିଥିବା ନେଇ ଅଭିଯୋଗ କରିଛନ୍ତି । ଜୋରିମାନା କାଟିବା ପାଇଁ କହିବାରୁ ଆରଆଇଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ମଧ୍ୟ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ପରେ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଘଟଣାଟି ଶାନ୍ତ ପଡ଼ିଥିଲା । ପୁଲିସ ପ୍ରଶାସନ ଫେରି ଆସିବା ପରେ ପୁଣିଥରେ ଗାଁର କିଛି ଲୋକେ ଆସି ଆରଆଇଙ୍କୁ ଅଟକ ରଖି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଆରଆଇମାନେ ମତେ କହିଛନ୍ତି ଏବଂ ଲିଖିତ ଭାବେ ଦେବାକୁ କହିଛି । ସେମାନଙ୍କ ଲେଖାକୁ ଭିତ୍ତି କରି ଥାନାରେ ଅଭିଯୋଗ କରିବି ବୋଲି ପ୍ରକାଶ କରିଛନ୍ତି ।