ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ମୃତ

ଦେବଗଡ଼, ଏନ୍ଏନ୍ଏସ୍ : ବାରକୋଟ ଥାନା ଅନ୍ତର୍ଗତ କାଦୋପଡ଼ା ଗ୍ରାମ ଦେଇ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥରେ ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କାଦୋପଦା ଗ୍ରାମ ମନ୍ଦିର ସାହିର ସୁକରାମ ମୁଣ୍ଡା (୫୦) ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନିଜ ଘରୁ ଅନ୍ୟ ଜଣେ ଯୁବକଙ୍କ ସହ ଏକ ବାଇକରେ ପୁରୁଣାପାଣି ଗ୍ରାମକୁ ଯାଇଥିଲେ। ତେବେ ରାତି ଯାଏ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ବାହାରିଥିଲେ । ଏହି ସମୟରେ କାଦୋପଡ଼ା ଗ୍ରାମ ଦେଇ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥ କଡ଼ରେ ସୁକରାମ ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡ଼ ହୋଇ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ୧୦୮ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମୁଣ୍ଡ, ଅଣ୍ଟା ଓ ଗୋଡ଼ରେ କ୍ଷତ ଥିବାରୁ ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିବା ସନ୍ଦେହ କରି ମୃତକଙ୍କ ସ୍ତ୍ରୀ ସମ୍ବାରି ମୁଣ୍ଡା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।