ପୂର୍ବ ଶତ୍ରୁତାକୁ ନେଇ ୨ ଜଣଙ୍କୁ ଅତର୍କିତ ଆକ୍ରମଣ : ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ଦୁଇ ଯୁବକଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଜିତେନ୍ଦ୍ର କୁମ୍ଭାର, ନୀରଜ୍‌ ହରପାଲ୍‌, ନିରାକାର ବାଗ୍‌ ଓ ସୁରେଶ ହରପାଲ୍‌ । ମିଳିଥିବା ରିପୋର୍ଟ ମୁତାବିକ, ଟାଉନ‌ ଥାନା ମଦନ ଗୁଡ଼ିଆ ଛକ ନିକଟରେ ତୁଷାରକାନ୍ତ ପାଢ଼ୀ ଓ ଗରିବ ପାଣ୍ଡେଙ୍କୁ ଦୁର୍ବୁତ୍ତମାନେ ଲୁହା ରଡ୍‌ରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ୨ଜଣ ଯୁବକ ଲହୁଲୁହାଣ ହୋଇଥିବାବେଳେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଆକ୍ରମଣ ସମ୍ପର୍କରେ ଟାଉନ୍‌ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଚେତ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ମେଡିକାଲ ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଥିଲା । ଅନ୍ୟପଟେ ଅଭିଯୁକ୍ତଙ୍କଠାରୁ ୨ଟି ବାଇକ୍‌ ମଧ୍ୟ ଜବତ କରିଛି। ଏଥିସହିତ ଘଟଣା ସମ୍ପର୍କରେ ଛାନଭିନ‌ ଆରମ୍ଭ କରି ସିସିଟିଭି ଫୁଟେଜ୍‌ ଓ ଲୋକଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ପୁଲିସ ପକ୍ଷରୁ ପ୍ରେସ‌ମିଟ୍‌ ଜରିଆରେ ସୂଚନା ଦିଆଯାଇଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।