ସଡ଼କ ଦୁର୍ଘଟଣାରେ ଜଣେ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ସୁଦପଡ଼ା ବାଏପାସ ନିକଟରେ ଏକ ହାଇୱା ଗାଡ଼ି ମାଡିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା। ଏସମ୍ପର୍କରେ ଖବର ପାଇବା ପରେ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସୂଚନାଯୋଗ୍ୟ, ବଲାଙ୍ଗିର ସହର ଦେଇ ସ୍କୁଟିରେ ଜଣେ ବ୍ୟକ୍ତି ପୁଇଁନ୍ତଲା ଆଡ଼କୁ ଯାଉଥିବାବେଳେ ସେପଟରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲେ ହେଁ ଏପର୍ଯ୍ୟନ୍ତ ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନାହିଁ। ଏହି ସ୍ଥାନରେ ୫ଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନ ଆଖି ବୁଜି ଦେଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେଥିପାଇଁ ତୁରନ୍ତ ବାଏପାସ ରାସ୍ତା ନିର୍ମାଣ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ଲୋକେ ଦାବି କରିଥିଲେ। ଅନ୍ୟପଟେ ବାଏପାସ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଏଥିସହିତ ତୁରନ୍ତ ରେଡକ୍ରସରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଚିଠି ଲେଖାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଥିବା ପୁଲିସ କହିଛି ।