କରୋନାରେ ଚାଲିଗଲେ ଆଉ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀ

କୋଲକାତା,ଏଜେନ୍ସି: ବିଧାନସଭା ନିର୍ବାଚନ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଥିବା ବେଳ ଏବେ ଆସିଛି ଆଉ ଏକ ଦୁଃଖଦ ଖବର। ଆଜି ମୁର୍ଶିଦାବାଦର ସମଶେରଗଞ୍ଜ ବିଧାନସଭାର କଂଗ୍ରେସ ବିଧାୟକ ପ୍ରାର୍ଥୀ ରିଜୁଏଲ ହକଙ୍କ କରୋନାରେ ମୃତ୍ୟୁ ଘଟିଛି। ଏନେଇ ସମସ୍ତ ରାଜନୈତିକ ଦଳ ଶୋକ ପ୍ରକାଶ କରିଛନ୍ତି।

ନିକଟରେ ଏହି ନିର୍ବାଚନ ମଣ୍ଡଳରେ ବାମପନ୍ଥୀ ଏବଂ କଂଗ୍ରେସ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ବାମପନ୍ଥୀ ଦଳ ଏହି ଆସନ ପାଇଁ ମୋଦାସାର ହୁସେନଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ରିଜୁଏଲ ହକ।

ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଆସନରେ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ ହୋଇଛି। ଏହି ଆସନ ପାଇଁ ଆସନ୍ତା ୨୬ରେ ମତଦାନ ହେବାର ଥିଲା।

ତେବେ ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧) (ଗ) ଅନୁସାରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟଦାନ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାର ତଥ୍ୟ ନେଇ ସନ୍ତୁଷ୍ଟ ହେଲେ ତତ୍କାଳ ଭୋଟ ଗ୍ରହଣକୁ ସ୍ଥଗିତ ରଖିବାକୁ ଘୋଷଣା କରିବେ। ତା’ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ ଓ ନିର୍ବାଚନ କମିସନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ସମ୍ପର୍କରେ ରିପୋର୍ଟ ଦେବେ।

ସେହିପରି ଗତକାଲି ସମାନ କାରଣ ପାଇଁ ପିପିଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାଣ ହରାଇଛନ୍ତି। ଏପ୍ରିଲ ୭ରେ ମଙ୍ଗରାଜ ଡେଲାଙ୍ଗ ନିକଟରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା। ଗୁରୁତର ଅବସ୍ଥାରେ ସେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।