ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ, ଟ୍ରକ୍ ଚାଳକ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ। ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଟ୍ରକ୍ ଚାଳକର ମୃତ୍ୟୁ ଘଟିଛି।

ବସଟି କେରଳର କୁନୁର ଅଞ୍ଚଳରୁ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ଧରି ଓଡ଼ିଶା ଆସୁଥିଲା। ରାସ୍ତା ପ୍ରଶସ୍ତ କାମ ଚାଲୁଥିବାରୁ ବସ୍ ଓ ଟ୍ରକ୍ ଗୋଟିଏ ରୁଟରେ ଯାଉଥିବା ବେଳେ ଟ୍ରକଟି ବସକୁ ସାମନା ପଟୁ ଧକ୍କା ଦେଇଥିଲା। ବସରେ ଥିବା ପ୍ରବାସୀ ଶ୍ରମିକମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଟ୍ରକ୍ ଚାଳକର ମୃତ୍ୟୁ ଘଟିଛି। ବସରେ ଥିବା ପ୍ରବାସୀ ଶ୍ରମିକମାନେ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଛି। ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ୍ ଯୋଗେ ଘରକୁ ପଠାଇବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।