ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ୧ ମାଓବାଦୀ ମୃତ

  • ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନ୍କାଉଣ୍ଟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ମିନପା ଗାଁରେ ଏହି ଏନ୍କାଉଣ୍ଟର ଘଟିଛି। ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ୍ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୁକ୍ମା ଏସ୍ପି ସୁନୀଲ ଶର୍ମା କହିଛନ୍ତି। ରାୟପୁରଠାରୁ ପ୍ରାୟ ୪୦୦ କିମି ଦୂରରେ ଏହି ଏନ୍କାଉଣ୍ଟର ଘଟିଛି। ଡିଷ୍ଟ୍ରିକ୍ଟ ରିଜର୍ଭ ପୁଲିସ, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଏବଂ ସିଆରପିଏଫ୍ ଯବାନ ଏହି ଅପରେସନରେ ସାମିଲ ଅଛନ୍ତି। ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିକାଣ୍ଡ ଜାରି ରହିଥିଲା। ଏହାପରେ ଜଣେ ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରେ ରକ୍ତଛିଟା ପଡ଼ିଥିବାବେଳେ ଅନ୍ୟ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ ସାଥି ନକ୍ସଲ ସେମାନଙ୍କୁ ଜଙ୍ଗଲ ଭିତରକୁ ନେବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।
    ସୂଚନା ଅନୁସାରେ, ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ ସେହି ଅଞ୍ଚଳରେ କୁମ୍ବି ଅପରେଶନ କରୁଥିଲେ। ଯବାନମାନଙ୍କୁ ଦେଖୁ ଦେଖୁ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ।