କେସିଙ୍ଗାରେ ଗଛ କାଟିବାକୁ ଯାଇ ଜଣେ ମୃତ 

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ବଲାଙ୍ଗୀର ଛକ ନିକଟସ୍ଥ ଏକ ଘରେ ଗଛ କାଟିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଘର ପାଚେରି ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଭୋଜରାଜ ସାହୁ(୩୨)। ମିଳିଥିବା ରିପୋର୍ଟ ମୁତାବକ, ୱାର୍ଡ ନଂ ୩ ଆଇସି ପାଇସି ଦୋକାନର ମାଲିକ ମୋହନ ଜୈନଙ୍କ ଘରେ ଏକ ବୋମର ଗଛ କାଟିବା ପାଇଁ ୱାର୍ଡ ନଂ ୧ ବଗାଡ଼ର ଭୋଜରାଜ ସାହଭ ଯାଇଥିଲେ । ପାଚେରୀକୁ ଲାଗି ରହିଥିବାରୁ ଗଛ କଟିଯିବା ପରେ ପାଚେରୀ ଭୋଜରାଜଙ୍କ ଉପରେ ପଡ଼ିଥିଲା । ଫଳରେ ଭୋଜରାଜ ପାଚେରୀରେ ପୋତି ହୋଇ ଯାଇଥିଲେ । ଘର ମାଲିକ ଓ ଅନ୍ୟମାନେ କେସିଙ୍ଗା ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ କେସିଙ୍ଗା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଭୋଜରାଜଙ୍କୁ ଉଦ୍ଧାର କରି ତୁରନ୍ତ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କେସିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଶ୍ରୀ ସାହୁ ଦିନ ମଜୁରିଆ ଭାବେ ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିବାବେଳେ ତାଙ୍କର ଜଣେ ୮ ବର୍ଷର ଝିଅ ଓ ଜଣେ ୬ ବର୍ଷର ପୁଅ ରହିଛନ୍ତି ।