ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ସହରର ଧୋବାପଡା ଡ୍ରେନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ବାନି ସେକ୍। ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସର ସୂଚନା ଅନୁସାରେ ବଲାଙ୍ଗିର ସହରର ଧୋବାପଡାରେ ପଶ୍ଚିମବଙ୍ଗରୁ ୬ ଜଣ ମିସ୍ତ୍ରି ଆସି କାମ କରୁଥିବାବେଳେ ସେମାନେ ଏକ ଭଡା ଘରେ ରହୁଥିଲେ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ସେମାନେ ଭୋଜି କରିଥିଲେ। ଏହି ସମୟରେ ନିଶାରେ ମାତାଲ ହୋଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି କାରଣରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ହେଉଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ସେମାନେ ମୃତ ଦେହକୁ ଛାତ ଉପରୁ ଡ୍ରେନକୁ ଫିଙ୍ଗି ଦେଇଛନ୍ତି। ତେବେ ମୃତଦେହ ପଡିଥିବା ନିକଟ ଘରେ ରକ୍ତ ଛିଟା ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।