ଏପ୍ରିଲ୍ ୧ରୁ ଆଗ ଯାତ୍ରୀ ସିଟ୍ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ,ଏଜେନ୍ସି: ଦୁନିଆର ସବୁଠାରୁ ଚ୍ୟାଲେଞ୍ଜିଂ ବଜାର ମଧ୍ୟରେ ଭାରତୀୟ ଅଟୋ କ୍ଷେତ୍ର ଅନ୍ୟତମ। ଗ୍ରାହକମାନେ ବଜେଟ୍ ମୂଲ୍ୟରେ ମହତ୍ୱପୂର୍ଣ୍ଣ ଡିଜାଇନ୍, ଇନ୍ଧନ ଦକ୍ଷତା ଏବଂ ନିର୍ଭରଯୋଗ୍ୟ ଗାଡ଼ି ପାଇଁ ଇଚ୍ଛା କରନ୍ତି। ଅଟୋମୋବାଇଲ ନିର୍ମାତାମାନେ ଏହା ଯୋଗାଇ ଆସୁଛନ୍ତି। କିନ୍ତୁ ଗ୍ରାହକଙ୍କ ସୁରକ୍ଷା ପ୍ରତି ଚିନ୍ତା କୌଣସି ସ୍ଥାନରେ ଅବହେଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧ଠାରୁ ସମସ୍ତ ଅଟୋମୋବାଇଲ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।

ସଡ଼କ ପରିବହନ ମନ୍ତ୍ରଣାଳୟ ଭାରତରେ ଗାଡ଼ିର ଉଭୟ ଡ୍ରାଇଭର ଏବଂ ଯାତ୍ରୀଙ୍କ ଆଗଧାଡ଼ି ସିଟରେ ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଇନ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରି ସବୁଜ ସଙ୍କେତ ଦେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଭାରତର ସମସ୍ତ ଯାତ୍ରୀବାହୀ ଯାନ ପାଇଁ କେବଳ ଡ୍ରାଇଭର ସିଟ୍ ଏୟାରବ୍ୟାଗ ବାଧ୍ୟତାମୂଳକ ଥିଲା।

ଯାତ୍ରୀଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଏହାକୁ ସର୍ବାଧିକ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଏବେ ଆଗଧାଡ଼ିର ଡ୍ରାଇଭର ଓ ଯାତ୍ରୀଙ୍କ ସିଟ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଦେଶରେ ଏପ୍ରିଲ ୧, ୨୦୨୧ରୁ ଲାଗୁ ହେବ। ଏନେଇ ଖୁବ୍ ଶୀଘ୍ର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସଡ଼କ ପରିବହନ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।