ସାପ କାମୁଡ଼ାରେ ଜଣେ ମୃତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ଗ୍ରାମପଞ୍ଚାୟତର ଦେଓବାହାଲ ଗ୍ରାମରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦୁର୍ଜେ ମାଝୀ। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ଶୋଇବା ଅବସ୍ଥାରେ ଦୁର୍ଜେଙ୍କୁ ସାପ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଗୁଣିଆ ଡାକି ଝଡ଼ାଫୁଙ୍କା କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ଗୁରୁତର ହେବାରୁ ପରେ ତାଙ୍କୁ ନୂଆପଡ଼ା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।